ଆନନ୍ଦପୁର : ନେପାଳରେ ଫସିଛନ୍ତି ଓଡ଼ିଆ । ଫେରାଇ ଆଣିବାକୁ ପରିବାର ଲୋକଙ୍କ ନିବେଦନ । ଆନନ୍ଦପୁର ପୌରପରିଷଦ ଫକୀରପୁରର ଅନେକ ଲୋକ ନେପାଳରେ ରହି ନିଜ କୌଳିକ ବୃତ୍ତି କରୁଛନ୍ତି । ନେପାଳରେ ଘଟିଥିବା ହିଂସା ପରେ ସେଠାରେ ଫସିଯାଇଛନ୍ତି ବହୁ ପରିବାର । ସେମାନଙ୍କ ଫୋନ ଲାଗୁନାହିଁ । ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନଥିବାରୁ ଚିନ୍ତାରେ ପରିବାର ଲୋକ । ତୁରନ୍ତ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ନିବେଦନ ହୋଇଛି ।
ସେହିପରି ଗତକାଲି ସ୍ବଦେଶ ଫେରିଛନ୍ତି କାଠମାଣ୍ଡୁରେ ଫସିଥିବା ୨୩ ଓଡ଼ିଆ । ହିଂସା ପରେ ଫସି ଯାଇଥିଲେ ଯାଜପୁର ଜିଲ୍ଲା ତୀର୍ଥଯାତ୍ରୀ । ଘଟଣାଟି ସାମନାକୁ ଆସିବା ପରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନେପାଳ କାଠମାଣ୍ଡୁ ସ୍ଥିତ ଭାରତର ଦୂତାବାସ କାର୍ଯ୍ୟାଳୟ, ରୋମାନିଆ ପାଇଁ ରହିଥିବା ଭାରତର ରାଷ୍ଟ୍ରଦୂତ ଡ଼. ମନୋଜ କୁମାର ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲା । ସମସ୍ତଙ୍କ ମିଳିତ ସହଯୋଗରେ ନେପାଳରେ ଫସି ରହିଥିବା ୨୩ଜଣ ଓଡ଼ିଆ ଯାତ୍ରୀମାନଙ୍କୁ ନେପାଳରୁ ଭାରତକୁ ଫେରାଇ ଅଣାଯାଇଅଛି । ସୁରକ୍ଷିତ ଭାବେ ସେମାନେ ଭାରତ ଫେରିଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫେରାଇ ଆଣିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଉଦ୍ୟମ କରିଥିଲେ । ଅପରେସନକୁ ସଫଳ କରିଥିବା ଏଜେନ୍ସୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆହୁରି ପଢ଼ନ୍ତୁ : ନେପାଳ ଭ୍ରମଣରେ ଯାଇ ଫସିଥିଲେ ୨୩ ଓଡ଼ିଆ ଯାତ୍ରୀ, ଉଦ୍ଧାର କରି ଭାରତକୁ ଆଣିଲେ ସରକାର