ଏଠି ମାଓ ଭୟରେ ଗାଁ ଛାଡୁଛନ୍ତି ଅନେକ ଗ୍ରାମବାସୀ, ଉପଯୁକ୍ତ ଥଇଥାନ କରାଯାଉନଥିବାରୁ ଭୟ ଓ ଆଶଙ୍କାରେ କଟୁଛି ଦିନ

ନୂଆପଡା(କେନ୍ୟୁଜ୍): ଦେଶର ଆଭ୍ଯନ୍ତରିଣ ସୁରକ୍ଷା ପାଇଁ ମାଓବାଦ ବଡ ବିପଦ ହୋଇଆସିଛି । ବିଶେଷକରି ଓଡିଶାର ଦକ୍ଷିଣରୁ ଆରମ୍ଭ କରି ପଶ୍ଚିମ ଓଡିଶାରେ ମଧ୍ଯ ମାଓବାଦର ପ୍ରଭାବ ଦେଖିବାକୁ ମିଳିଛି । ସେହି ମାଓବାଦ ମଧ୍ଯରେ ରହିଛି ନୂଆପଡା ଜିଲ୍ଲା । ଆଜି ଜିଲାରେ ମାଓବାଦୀଙ୍କ ଗତିବିଧି ସାମାନ୍ଯ ହ୍ରାସ ପାଇଥିଲେ ବି ଏବେବି ହିଂସାତ୍ମକ କାର୍ଯ୍ଯକଳାପ ସଂପୂର୍ଣ ହ୍ରାସ ପାଇ ନାହିଁ । ନୂଆପଡା ଜିଲ୍ଲା ପଡୋଶୀ ଛତିଶଗଡ ସୀମାନ୍ତକୁ ଲାଗିରହିଥିବାରୁ ଜିଲ୍ଲାର ଦୁର୍ଗମ ସୁନାବେଡା ଅଭୟାରଣ୍ଯର ଘଞ୍ଚ ଜଙ୍ଗଲ ଏବେ ମାଓବାଦୀଙ୍କ ଦୁର୍ଗ ପାଲଟିଛି । ଗତ ୨୦୦୯ ମସିହାରୁ ଜିଲା ଦେଖିଆସିଛି ଅନେକ ରକ୍ତାକ୍ତ ସଂଘର୍ଷ । ଏବେବି ଦୁର୍ଗମ ଅଂଚଳରେ ନିରିହ ଗ୍ରାମବାସୀମାନେ ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲଙ୍କ ଆକ୍ରମଣର ଶୀକାର ହୋଇ ଆସୁଛନ୍ତି । ଏପରିକି ମାଓବାଦୀଙ୍କ ଭୟରେ ଅନେକ ଗ୍ରାମବାସୀ ନିଜର ଘରଦ୍ୱାର ଛାଡି ଅନ୍ଯତ୍ର ସ୍ଥାନରେ ଯାଜାବର ଭାବେ ଦୁର୍ବିସହ ଜୀବନଯାପନ କରୁଛନ୍ତ । ମାଓଭୟରେ ଅନେକ ଗ୍ରାମବାସୀ ଗାଁଛାଡି ଅନ୍ଯତ୍ରସ୍ଥାନକୁ ପଳାୟନ କରିଥିବା ବେଳେ ପ୍ରଶାସନିକ ଅବହେଳାର ଶୀକାର ହୋଇଆସୁଥିବା ଅଭିଯୋଗ କରିଛନ୍ତ । ପ୍ରଶାସନ ତରଫରୁ ସେମାନଙ୍କୁ ଉପଯୁକ୍ତ ଥଇଥାନ କରାଯାଇନଥିବାରୁ ଅସହାୟ ଅବସ୍ଥାରେ ଭୟ ଓ ଆଶଙ୍କା ମଧ୍ଯରେ ଦିନ କାଟୁଛନ୍ତି ।

ନୂଆପଡା ଜିଲା ଓଡିଶାର ଶେଷ ସୀମାନ୍ତରେ ରହିଥିବା ବେଳେ ପଡୋଶୀ ଛତିଶଗଡକୁ ଲାଗି ରହିଛି । ଏହି ଜିଲାରେ ୨୦୦୭ରେ ମାଓବାଦୀଙ୍କ ପ୍ରବେଶ ହୋଇଥିଲା । ବିଭିନ୍ନ ପରିସ୍ଥିତି ଯୋଗୁଁ ଜିଲାରେ ମାଓବାଦ ପାଇଁ ଅନୁକୂଲ ପରିବେଶ ସୃଷ୍ଟି ହୋଇଥିଲା । ବିଶେଷକରି ଜିଲ୍ଲାର ଦୁର୍ଗମ ସୁନାବେଡା ଅଭୟାରଣ୍ଯ ପଡୋଶୀ ଛତିଶଗଡର ଉଦନ୍ତୀ ଅଭୟାରଣ୍ଯକୁ ଲାଗିରହିଛି । ସୁନାବେଡା ଅଭୟାରଣ୍ଯର ଦୀର୍ଘ ୨୦୫କି.ମି. ଘଞ୍ଚ ଜଙ୍ଗଲ ପରିବେଶ ମାଓବାଦୀଙ୍କୁ ସୁହାଇବାରେ ଲାଗିଛି । ଏଠାରେ ଉଭୟ ଓଡିଶା ଓ ଛତିଶଗଡି ଟପ କ୍ଯାଡର ମାଓନେତାଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ସୁନାବେଡା ଅଭୟାରଣ୍ଯର ଘଞ୍ଚ ଜଙ୍ଗଲ ମାଓବାଦିଙ୍କ ଟ୍ରେନିଂ ସେଣ୍ଟର ସାଜିଛି । ଗତ ୨୦୦୯ରେ ସୁନାବେଡା ଅଭୟାରଣ୍ଯର ଚେରେଚୁଆଁ ବିଟ ହାଉସ ଓ ଗେଟ ଭାଙ୍ଗି ଜାଳି ଦେବା ସହ ସୁନାବେଡା ଡାକବଙ୍ଗଳା ଭାଙ୍ଗି ଦେଇ ମାଓବାଦୀମାନେ ନିଜର ପ୍ରଥମ ଉପସ୍ଥିତି ଜାହିର କରିଥିଲେ । ସେହିଭଳି ୨୦୦୯ ନଭେମ୍ବର ୧୫ତାରିଖରେ ସୁନାବେଡା ଅଭୟାରଣ୍ଯର ଢେକୁନପାନି ଫରେଷ୍ଟ ବିଟ ହାଉସ ଜଗୁଆଳି କ୍ରିସ ରାଉତ ଓ ୧୭ତାରିଖରେ ସୁନାବେଡା ଗାଁର ପୂର୍ବତନ ଓାର୍ଡ ମେମ୍ବର ଚନ୍ଦରସିଂ ବର୍ଗେଙ୍କୁ ମାଓବାଦୀ ହାତ ଗୋଡ ବାନ୍ଧି ଗୁଳି କରି ମିର୍ମମ ଭାବେ ହତ୍ଯା କରିଥିଲେ । ଗତ ୨୦୧୦ରେ ଭରୁଆମୁଣ୍ଡା ଗାଁରେ ଫରେଷ୍ଟର ସଂଗ୍ରାମ କେଶରୀ ସ୍ୱାଇଁ ଏବଂ ଗତ ୨୦୧୧ରେ ସିନାପାଲି ଥାନା ଫୁଲଚିଘାଟିରେ ଠିକାଦାର ଟୁନା ପାତ୍ରଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଗୁଳିକରି ନିର୍ମମ ଭାବେ ହତ୍ଯା କରିଥିଲେ ।

ସେହିଭଳି ଗତ ୨୦୧୧ ମଇ ୧୩ରେ ସୁନାବେଡାଠାରେ ଛତିଶଗଡ ଗରିଆବନ୍ଧ ଅତିରିକ୍ତ ଏସପି ସମେତ ୯ଜଣ କନଷ୍ଟେବଲ କମ୍ବିଂ ଅପରେସନରେ ଆସିଥିବା ବେଳେ ମାଓବାଦୀମାନେ ଅମ୍ବୁସ ଲଗାଇ ଗୁଳିକରି ହତ୍ଯାକରି ବଡଧରଣର ଅଘଟଣ ଘଟେଇବାରେ ସଫଳ ହୋଇଥିଲେ । ଏହାପରେ ନକ୍ସଲ ଆତଙ୍କରେ ନୂଆପଡା ଜିଲା ଥର ହର ହୋଇ ଉଠିଥିଲା । ଗତ ୨୦୧୧ ନଭେମ୍ବର ୧୯ରେ ନୂଆପଡା ବ୍ଲକ ଅଧ୍ଯକ୍ଷ ସୁନିଲ ଦେବାଂଗନଙ୍କୁ ଲୋଡ୍ରା ଗାଁ ନିକଟରେ ମାଓବାଦୀମାନେ ଗୁଳିକରି ହତ୍ଯାକରିଥିଲେ । ଗତ ୨୦୧୨ ଫେବୃୟାରୀ ୨୪ରେ ସୁନାବେଡାର ରୀତା ଦାସଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଗଡଭଟା ଗାଁ ନିକଟରେ ପ୍ରଜାକୋର୍ଟରେ ଗୁଳିକରି ହତ୍ଯାକରିଥିଲେ।ଏପରିକି ୨୦୧୨ ରେ ଜବାନମାନଙ୍କ ପାଇଁ ପାଣି ଟ୍ଯାଙ୍କର ନେଇ ଯାଉଥିବା ବେଳେ ଧରମବନ୍ଧା ଥାନାର ଏଏସଆଇ କ୍ରିପାରାମ ମାଝିଙ୍କୁ ମାଓବାଦୀମାନେ ଗୁଳିକରି କରିଥିଲେ ।ଏଭଳି ଭାବେ ମାଓବାଦୀମାନେ ଗୋଟିଏ ପରେ ଗୋଟିଏ ହିଂସାତ୍ମକ ଘଟଣା ଘଟେଇ ପୋଲିସକୁ ଚକ୍‌ମା ଦେଇ ଖସିଯିବାରେ ସଫଳ ହେଉଛନ୍ତି । ଯାହାକି ନୂଆପଡା ଜିଲାରେ ପୋଲିସ ପାଇଁ ଏକ ବଡ ଚ୍ଯାଲେଞ୍ଜ ହୋଇଛି ।

ଗତ ୨୦୦୯ ମସିହାରୁ ନୂଆପଡା ଜିଲ୍ଲାରେ ଆଜି ଯାଏ ମାଓ ଗୁଳିରେ ମୋଟ ୨୯ ଜଣଙ୍କ ମୁଣ୍ଡ ଗଳାଣି । ତନ୍ମଧ୍ଯରୁ ୧୪ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୫ ଜଣ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି । ସେହିଭଳି ୮ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ଗୁଳିରେ ଜଣେ ମହିଳା କ୍ଯାଡର ମାଓବାଦୀ ନିହତ ହୋଇଛନ୍ତି । ଏବେବି ଜିଲାରେ ନକ୍ସଲ ଓ ପୋଲିସ ମଧ୍ଯରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି । ମାଓବାଦୀଙ୍କୁ ଚେକ ଦେବା ପାଇଁ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ପୋଲିସ ବିଭାଗ ପକ୍ଷରୁ ଜିଲ୍ଲାର ସୁନାବେଡା,ସୋସେଂଗ,ଜାମଗାଁ ,ବରକୋଟ, ବୋଡେନ ,ଖଡୁପାଣି,ଭଇଁଷାଦାନୀ,ଧରମବନ୍ଧା ଭଳି ପ୍ରମୂଖ ସ୍ଥାନରେ ସିଆରପିଏଫ କ୍ଯାମ୍ପ ସ୍ଥାପନ କରାଯାଇଛି । ଓଡିଶା ଓ ଛତିଶଗଡ ସୀମାବର୍ତି ଅଂଚଳରେ ସିଆରପିଏଫ, ଏସଓଜି ଓ ଡିଭିଏଫ ଜବାନମାନଙ୍କୁ ବ୍ଯାପକ ମୃତୟନକରି ମାଓ ମୁକାବିଳାରେ ନିୟୋଜିତ କରାଯାଇଛି । ପୂର୍ବଭଳି ଜିଲାରେ ମାଓଗତିବିଧି ସାମାନ୍ଯ ହ୍ରାସ ପାଇଥିବା ବେଳେ ଜିଲ୍ଲା ସଂପୂର୍ଣ ଏଯାଏଁ ମାଓମୁକ୍ତ ହୋଇପାରି ନାହିଁ ।

ଗତ ଅଗଷ୍ଟ ୧୮ ତାରିଖ ରାତ୍ରିରେ ସୁନାବେଡା ଅଭୟାରଣ୍ଯର ଢେକୁନପାଣି ଗାଁର ଅନନ୍ତରାମଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଘରୁ ଟେକିନେଇ ଗୁଳିକରି ହତ୍ଯା କରିଥିଲେ । ଅନନ୍ତରାମଙ୍କୁ ହତ୍ଯା କରିବା ପରେ ଘଟଣାସ୍ଥଳରେ ମାଓପୋଷ୍ଟର ଛାଡି ପୋଲିସ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏହାପରେ ମୃତ ଅନନ୍ତରାମଙ୍କ ପତ୍ନି ଓ ତାଙ୍କ ୬ଜଣ ଶିଶୁକନ୍ଯା ମାଓଭୟରେ ଢେକୁନପାଣି ଗାଁଛାଡି ଏବେ କୋମନା ବ୍ଲକ ଅନ୍ତର୍ଗତ ଗେରୁଜୋର ଗାଁରେ ନିଜ ସଂପର୍କିୟଙ୍କ ଘରେ ଆଶ୍ରୟ ନେଇ ଭୟ ଓ ଆଶଙ୍କା ମଧ୍ଯରେ ଦିନକାଟୁଛନ୍ତି ।

ସେହିଭଳି କୋମନା ବ୍ଲକ ଅନ୍ତର୍ଗତ ଦୁର୍ଗମ ପାଟପାଣି ଗାଁରେ ଗତ ୨୦୧୩ ମସିହା ଫେବୃୟାରୀ ୮ତାରିଖରେ ଗାଁର ଚୈତନ୍ଯ ମାଝି ନାମକ ଜଣେ ଶିକ୍ଷକକୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଗୁଳି କରି ହତ୍ଯା କରିଥିଲେ । ସେହିଦିନଠାରୁ ମାଓବାଦୀଙ୍କ ଭୟରେ ମୃତ ଚୈତନ୍ଯଙ୍କ ପରିବାର ସମେତ ଗାଁର ଅନ୍ଯ ୨୦ଟି ପରିବାର ଲୋକେ ପାଟପାଣି ଗାଁଛାଡି ଅନ୍ଯତ୍ର ଆଶ୍ରୟ ନେଇ ଭୟ ଓ ଆଶଙ୍କା ମଧ୍ଯରେ ଦିନ କାଟୁଛନ୍ତି । ଏବେ ଏହି ୨୦ଟି ପରିବାର ଲୋକେ ନୂଆପଡା ଜିଲା ଓ ପଡୋଶୀ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଗାଁରେ ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥା ଯୋଗେଇ ଦେବା ସହିତ ଉଚିତ୍ ଅନୁକମ୍ପାମୂଳକ ସହାୟତା ଯୋଗେଇ ଦେବା ପାଇଁ ପାଟପାଣି ଗ୍ରାମବାସୀ ନୂଆପଡା ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ବାରମ୍ବାର ଦାବି ଜଣେଇ ଆସୁଛନ୍ତି । ହେଲେ ଦୀର୍ଘ ୧୦ବର୍ଷ ବିତିଯାଇଥଲେ ମଧ୍ଯ ପାଟପାଣି ଗ୍ରାମବାସୀଙ୍କ ସମସ୍ଯା ପ୍ରତି ନୂଆପଡା ଜିଲ୍ଲା ପ୍ରଶାସନ ଆଖିବୁଜିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅପରପକ୍ଷେ,ନୂଆପଡା ଏସପି ପ୍ରତ୍ୟୁଷ କୁମାର ଦିବାକର ଜିଲାରେ ମାଓକାର୍ଯ୍ଯ କଳାପ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଥିବା କହିଛନ୍ତି ।

 

Leave A Reply

Your email address will not be published.