ଜଙ୍ଗଲରେ ବଡ଼ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର IED ତିଆରି ସରଞ୍ଜାମ ଏବଂ ବିସ୍ପୋରକ ଜବତ

ମାଲକାନଗିରି : ଜଙ୍ଗଲରେ ବଡ଼ ମାଓ କ୍ୟାମ୍ପ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ତୁମରେଲ ଜଙ୍ଗଲରେ ଜବାନଙ୍କ କୁମ୍ବିଂ ଅପରେସନ ବେଳେ ଏକ ବଡ଼ ମାଓ କ୍ୟାମ୍ପ ଠାବ ହୋଇଛି । ମାଓ କ୍ୟାମ୍ପରେ ଚାଲିଥିଲା IED ତିଆରି କାରଖାନା । ମାଟି ତଳେ ମାଓବାଦୀ ଲୁଚାଇ ରଖିଥିଲେ IED ତିଆରି ସରଞ୍ଜାମ ଏବଂ ବିସ୍ପୋରକ । ସର୍ଚ୍ଚ ଅପରେସନ ବେଳେ ଜବାନଙ୍କୁ ମିଳିଛି 10 କୁଇଣ୍ଟାଲ ୟୁରିଆ, IED ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀ, ଡିଟୋନେଟର ଭଳି ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ । ମାଓ ବିସ୍ପୋରକ ସାମଗ୍ରୀ ଜବତ ପରେ ସୁରକ୍ଷିତ ଭାବେ ତାକୁ ନଷ୍ଟ କରାଯାଇଛି । ଏହି ଘଟଣା ପରେ ସର୍ଚ୍ଚ ଅପରେସନ କୁ ଆହୁରି ଜୋରଦାର କରାଯାଇଛି ।
ସୂଚନା ଅନୁସାରେ ଗତକିଛି ଦିନ ତଳେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜଙ୍ଗଲରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ ହୋଇଥିଲା । ମାଓ ବିରୋଧୀ ଅଭିଯାନରେ, ୨୦୩ କୋବ୍ରା ବାଟାଲିୟନ ଏବଂ ୧୩୧ ବାଟାଲିୟନ CRPFର ଏକ ମିଳିତ ଦଳ ସୁକମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେରରେ ଥିବା ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ତିଆରି ଉପକରଣର ଗଚ୍ଛିତ ସ୍ଥାନକୁ ସଫଳତାର ସହ ଠାବ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ସର୍ଚ୍ଚ ଅପରେସନରେ ଉଦ୍ଧାର ଅସ୍ତ୍ରାଗାରରେ ସାବୁନ କେସରେ ପ୍ୟାକ୍ ହୋଇଥିବା ୨୧ ଟି ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED), ମଲ୍ଟିପଲ୍ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ (BGL) ବୋମା, ଏକ ଜେନେରେଟର ସେଟ୍, ଲେଥ୍ ମେସିନ୍ ଆନୁଷଙ୍ଗିକ ସାମଗ୍ରୀ, ପ୍ରଚୁର ପରିମାଣରେ ବିସ୍ଫୋରକ ତିଆରି ସାମଗ୍ରୀ, ବନ୍ଧୁକ ତିଆରି ଉପକରଣ ଏବଂ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ମିଳିଥିଲା ।
ଆହୁରି ପଢନ୍ତୁ: ଦିନ ଦ୍ଵିପହରରେ ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ସୁନା ଚେନ୍ ଲୁଟ