ଭାଇରାଲ ହେଉଛି ମୃତ ମାଓନେତା ରମନ୍ନାଙ୍କ ଡକ୍ୟୁମେଣ୍ଟ୍ରି

ମାଲକାନଗିରି(କେନ୍ୟୁଜ୍‌): ମାଓନେତା ରାମାନ୍ନାଙ୍କ ତ୍ୟାଗକୁ ନେଇ ଭିଡିଓ ଜାରି କଲା ମାଓ ସଙ୍ଗଠନ। ମାଓ ସଂଗଠନର କେନ୍ଦ୍ରୀୟ କମିଟିର ସଚିବ ରାମାନ୍ନାଙ୍କ ତ୍ୟାଗକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଜାରି କରିଛନ୍ତି ମାଓବାଦୀ, ଯାହା ଏବେ ଭାଇରାଲ ହେବାକୁ ଲାଗିଛି। ଗତ ଡିସେମ୍ବର ୮ ତାରିଖ ଦିନ ମାଓନେତା ରାମାନ୍ନାଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା। ଯାହାକି ସେତେବେଳେ ମାଓ ସଂଗଠନ ରାମାନ୍ନାଙ୍କ ମୃତ୍ୟୁକୁ ନେଇ ପ୍ରେସ ବିବୃତ୍ତି ଦେବା ସହ ତାଙ୍କର ଅନ୍ତିମ ଶବ ସତ୍କାର ମଧ୍ୟ ଭିଡିଓ କରି ଭାଇରାଲ କରିଥିଲେ।

ରାମାନ୍ନା ନାମରେ ୫ଟି ରାଜ୍ୟରେ ମୋଟ ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ରାଶି ରହିଥିବା ବେଳେ ସେ ଏହି ୫ଟି ରାଜ୍ୟରେ ମୋଷ୍ଟ ଓ୍ଵାଣ୍ଟେଡ ଭାବେ ମଧ୍ୟ ରହିଥିଲା। ତେବେ ଆଜି ରାମାନ୍ନାଙ୍କ ତ୍ୟାଗ ଏବଂ ଆଦର୍ଶକୁ ନେଇ ନକ୍ସଲ ସଂଗଠନ ଏକ ଡକ୍ୟୁମେଣ୍ଟାରୀ ଭାଇରାଲ କରିଛି। ଏଥିରେ ୭ ମିନଟର ତେଲୁଗୁ ଭାଷାରେ ଗୀତ ରହିଛି। ଏହି ଡକ୍ୟୁମେଣ୍ଟାରୀରେ ରାମାନ୍ନା କିପରି ଜଂଗଲରେ ମାଓ ସଂଗଠନର ପତାକାକୁ ଧରି ବୁଲୁଛନ୍ତି ଏବଂ ଶହ ଶହ ମାଓବାଦୀଙ୍କୁ ଏକତ୍ର କରି ସଂଗଠନର ଆଦର୍ଶ ଓ ଲକ୍ଷ୍ୟ ବିଷୟରେ ବୁଝାଉଛନ୍ତି ସେନେଇ ଚିତ୍ରଣ କରାଯାଇଛି।

ଏପରିକି ସହିଦ ଦିବସରେ ନିଜେ ବିଭିନ୍ନ ଗ୍ରାମରେ ଉପସ୍ଥିତ ରହି ସହିଦ ଦିବସକୁ ପାଳନ କରିବା ସହ ଏହାର ମହତ୍ବ ବିଷୟରେ ମଧ୍ୟ ବୁଝାଇଛନ୍ତି। ନିଆଁ ଭଳି ହୋଇ ତମେ ଆମ ମାନଙ୍କୁ ସାହାରା ଦେଇଥିଲ। ତୁମର ତ୍ୟାଗ ଓ କମ୍ୟୁନିଜମକୁ ପ୍ରଣାମ କରୁଛୁ। ମା ଓ ମାଟି ପାଇଁ ତୁମର ଚିରତ୍ୟାଗ ସବୁଦିନ ପାଇଁ ଅମର ରହିବ ବୋଲି କୁହାଯାଇଛି। ଗତ କିଛି ଦିନ ତଳେ ମାଓ ସଂଗଠନ ପକ୍ଷରୁ ପୋଲିସ ସହ ଏନକାଉଣ୍ଟର ଡକ୍ୟୁମେଣ୍ଟାରୀ ଭାଇରାଲ କରିଥିଲେ। ଏବେ ମୃତ୍ୟୁର ୮ ମାସ ପରେ ମାଓ ନେତା ରାମାନ୍ନାଙ୍କ ତ୍ୟାଗ ଓ ବଳିଦାନକୁ ନେଇ ଡକ୍ୟୁମେଣ୍ଟାରୀ ଜାରି କରିବାକୁ ନେଇ ପୋଲିସ ମଧ୍ୟ ଏହା ଉପରେ ନଜର ରଖିଛି।