ଶେଷ କିଷାନଙ୍କ ବାହାଘର ସରିଲା ଆଜି ଭୋଜି, ପତ୍ନୀଙ୍କ ସହଯୋଗରେ ସ୍ୱପ୍ନ ପୂରଣ କରିବାକୁ ଲକ୍ଷ୍ୟ

ରେଢ଼ାଖୋଲ (କେନ୍ୟୁଜ୍‌): ବଡ଼ ଧୁମ୍‌ଧାମ୍‌ରେ ଶେଷ ହୋଇଛି ଯୁବ ବୈଜ୍ଞାନିକ ଶେଷ କିଷାନ୍‌ଙ୍କ ବାହାଘର । ଗତକାଲି ରାତିରେ ବାଲେଶ୍ୱର ଝିଅ ଜୟଶ୍ରୀଙ୍କ ସହ ତାଙ୍କର ହାତଗଣ୍ଠି ପଡ଼ିଛି । ଗାଈ ଚରାଳିରୁ ବୈଜ୍ଞାନିକ ପାଲଟିଥିବା ଶେଷଦେବ ବର ବେଶରେ ସଜେଇ ହୋଇ ପାରମ୍ପରିକ ବାଦ୍ୟ ସହ ଡିଜେର ତାଳେ ତାଳେ ଘରୁ ବାହରିଥିଲେ ରେଢ଼ାଖୋଲ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପକୁ । ବେଶ୍‌ ଜମିଥିଲା ନାଚ ଗୀତ । ଆଉ ହିନ୍ଦୁ ରୀତିନୀତିରେ ବାହାଘର ହୋଇଥିଲା ଶେଷ ଏବଂ ଜୟଶ୍ରୀଙ୍କର ।

ଶେଷଙ୍କ କାହାଣୀ

ପିଲା ଦିନୁ ଶେଷ ନିଜର ପିତା ମାତାଙ୍କୁ ହରାଇଥିଲେ । ତେବେ ଜୀବନ ସଂଘର୍ଷରେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ସଫଳ ହେଲେ । ରେଢ଼ାଖୋଲ ସହର ସ୍ଥିତ ଆଦର୍ଶ ନଗରର ସୁନନ୍ଦ ପ୍ରଧାନ ଏବଂ ତାଙ୍କ ପତ୍ନୀ ଶେଷଙ୍କ ବାପା ମା ସାଜିଥିଲେ। ପିଲାଦିନେ ଶେଷ ଭୁବନେଶ୍ୱରରେ ପାଠ ପଢ଼ୁଥିବା ସମୟରେ ଟ୍ରେନ୍‌ରେ ଘରକୁ ଆସୁଥିବା ବେଳେ ଅଚାନକ ସୁନନ୍ଦ ଏବଂ ତାଙ୍କ ପତ୍ନୀ ସହ ଦେଖା ହୋଇଥିଲା । ସେଇଠୁ ଚିହ୍ନା ପରିଚୟ ଏବଂ ଆତ୍ମୀୟତା ଗଢ଼ି ଉଠିଲା । ଶେଷରେ ସେଇମାନେ ପାଲଟିଗଲେ ଶେଷଦେବଙ୍କ ବାପା ମା । ଜର୍ମାନୀରୁ ଫେରି ଆଗକୁ ଶେଷ ଓଡ଼ିଶାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ ବୋଲି ସୁନନ୍ଦ କହିଛନ୍ତି । ଓଡ଼ିଶାରେ କିଛି କରି ଦେଖାଇବେ ଏବଂ ଓଡ଼ିଶା ଲୋକଙ୍କ ପାଇଁ କିଛି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ବାହାଘର ପରେ ବେଶ୍‌ ଖୁସି ଅଛନ୍ତି ଶେଷ । ଆଉ ନିଜ ଜନ୍ମ ମାଟି ପାଇଁ କିଛି କରି ଦେଖେଇବାର ସ୍ୱପ୍ନ ଏବେ ସେ ସାକାର କରିବେ ବୋଲି କହିଛନ୍ତି। ଏହି ସ୍ୱପ୍ନ ସାକାର ପାଇଁ ତାଙ୍କୁ ପତ୍ନୀ ଜୟଶ୍ରୀ ମଧ୍ୟ ସାହାଯ୍ଯ କରିବେ ବୋଲି ଶେଷ କିଷାନ କହିଛନ୍ତି। ସେପଟେ ଶେଷଙ୍କୁ ଜ୍ୱାଇଁ ଭାବରେ ପାଇ ତାଙ୍କ ଶଶୁର ହରେକୃଷ୍ଣ ଜେନା ବହୁତ ଗର୍ବିତ ବୋଲି କହିଛନ୍ତି। ଶେଷ ବହୁତ ସଂଘର୍ଷ ପରେ ଆଜି ଏହି ଜାଗାରେ ପହଞ୍ଚି ପାରିଛନ୍ତି। ଆଉ ଆଜିର ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ ହୋଇଛନ୍ତି । ତେବେ ୨୨ ତାରିଖ ନୁହେଁ ୨୧ ତାରିଖ ରାତିରେ ଏହି ବାହାଘର ସମ୍ପନ୍ନ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ବାହାଘର ଭୋଜିର ଆୟୋଜନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.