ପୁଣି ବଧୂ ହତ୍ୟା ଅଭିଯୋଗ, ବିବାହର ୩ବର୍ଷ ଭିତରେ ଆଖିବୁଜିଲେ ମହିଳା

ହିନ୍ଦୋଳ : ବାହୁନି ବାହୁନି ଅସମ୍ଭାଳ ମାଆ, ଭଉଣୀ । ବୋଲ ମାନୁନି ଆଖିର ଲୁହ । କଣ ହେଇଗଲା କେହି କିଛି ବୁଝି ପାରୁନାହାନ୍ତି । ଏମିତି ହଠାତ୍ ଝିଅ ଯେ ମରିଯିବ କେହି କଳ୍ପନାରେ ସୁଦ୍ଧା ଭାବିପାରୁନାହାନ୍ତି ।ସତରେ ଝିଅ ଜନମ ପରଘରକୁ । ଏଇ ଉକ୍ତିକୁ ନେଇ ସବୁ ଝିଅ ଦିନେ ନା ଦିନେ ଚାଲି ଯାଆନ୍ତି ପର ଘରକୁ । ସେମିତି ଏଇ ମାଆଟି ବି ନିଜ ଅଲିଅଳି ଝିଅକୁ ନିଜ ସକ୍ଷ ମୁତାବକ ଦିଆନିଆ କରି ଶାଶୁ ଘରକୁ ପଠାଇଥିଲେ । ଦେଖିଥିଲେ ଅନେକ ସ୍ୱପ୍ନ । ହେଲେ ହାତ ଗଣତି କେଇ ବର୍ଷ ଭିତରେ ଅକାଳରେ ଚାଲିଗଲା ଝିଅ ।

ଦୁନିଆ ଯେତିକି ଯେତିକି ଅଧୁନିକତାର ରାସ୍ତାରେ ଗତି କରୁଛି ସେତିକି ନିର୍ଯାତନାଜନୀତ ଘଟଣା ମୁଣ୍ଡ ଟେକି ଛିଡା ହେଉଛି । ଧାର ଉଦ୍ଧାର କରି ଝିଅ ବାହା କରୁଥିବା ବାପା ମାଆ ମର୍ମାହାତ ହୋଇପଡନ୍ତି ଯେତେବେଳେ ଝିଅର ମୃତ୍ୟୁ ଖବର ତାଙ୍କ ପାଖରେ ଆସି ପହଁଚିଥାଏ । କେମିତି ବା ସେ ଦମ୍ଭ ଧରି ରହିପାରିବେ ଏଭଳି ଖବର ପାଇବା ପରେ । ଠିକ୍ ଏମିତି ପୁଣି ଏକ ଖବର ଅଆସି ପହଁଚିଛି । ପୁଣି ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି । ଏପଟେ ମୃତଦେହ ଦେଖି ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅସରଡା ଗ୍ରାମ ପଞ୍ଚାୟତ ବାରସିଙ୍ଗା ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଝିଅକୁ ଶାଶୁ ଘର ଲୋକେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ବାପାଘର ଲୋକ । ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରିଣୀ ଗ୍ରାମର ବୈକୁଣ୍ଠ ସାହୁଙ୍କ ଝିଅ ଲିଭାଲିନ୍ ସାହୁ ବୟସ ୨୮ବର୍ଷ । ଗତ ତିନି ବର୍ଷ ତଳେ ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ବାରସିଙ୍ଗା ଗ୍ରାମର ଦୁର୍ଯ୍ୟୋଧନ ସାହୁଙ୍କ ସାନପୁଅ ସୁମନ୍ତ ସାହୁଙ୍କୁ ବୈଦିକ ରିତୀରେ ବିବାହ କରିଥିଲେ ।

ତେବେ ହଠାତ୍ ଗତକାଲି ଶୁକ୍ରବାର ସକାଳ ୧୦ଟା ସମୟରେ ଲିଭାଲିନଙ୍କ ମା’ଙ୍କୁ ଝିଅର ଶାଶୁଘର ପରିବାର ଲୋକେ ଫୋନଯୋଗେ ଜଣାଇଥିଲେ ଯେ ତାଙ୍କ ଝିଅ ଲିଭାଲିନ୍ ଆଉ ଏ ଦୁନିଆରେ ନାହିଁ । ଫୋନ୍ ପାଇ ଯେମିତି ପାଦ ତଳୁ ମାଟି ଖସିଯାଇଥିଲା । ତୁରନ୍ତ ବାପାଘର ଲୋକ ପହଞ୍ଚିବାବେଳକୁ ଝିଅ ମରିପଡିଥିବା ଦେଖିବାକୁ ପାଇଥିଲେ ।

ସଙ୍ଗେ ସଙ୍ଗେ ଝିଅ ଘର ଲୋକେ ବାଲିମୀ ଥାନାରେ ଏନେଇ ଅଭିଯୋଗ କରିଥିଲେ । ତେବେ ଘଟଣା ସକାଳ ୧୦ଟାରୁ ଘଟିଥିଲେ ମଧ୍ୟ ବାଲିମୀ ପୋଲିସ୍ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ମା’ ମମତା ସାହୁ । କାନ୍ଦି କାନ୍ଦି ଝିଅକୁ ନ୍ୟାୟ ଦେବା ପାଇଁ ଗଣମାଧ୍ୟମ ସାମ୍ନାରେ ଗୁହାରୀ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

ଏପଟେ ଲିଭାଲିନଙ୍କ ଶାଶୁ ଘର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବାବେଳେ, ଲିଭାଲିନ୍ ଙ୍କ ମୃତ୍ୟୁ କେମିତି ହେଲା ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଯଦି ବାପଘର ଲୋକଙ୍କ ଅଭିଯୋଗ ସତ ହୁଏ ତେବେ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ହେବାକୁ ଦାବି ହୋଇଛି ।

ଆହୁରି ପଢନ୍ତୁ: ଯାଜପୁର: ବିବାହ ଶୋଭାଯାତ୍ରାରେ ଫୁଟିଲା ଗୁଳି, ଦୁଇ ପକ୍ଷଙ୍କ ଭିତରେ ମାରପିଟ୍