ଦୋକାନର ସଟର ଖୋଲି ୨ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲା ମୁଖା ପିନ୍ଧା ଚୋର

ଆନନ୍ଦପୁର : ମାତିଛନ୍ତି ଲୁଟେରା । ଦିନକୁ ଦିନ ବଢ଼ିଚାଲିଛି ଏମାନଙ୍କ ଉତ୍ପାତ୍‌ । ରାଜ୍ୟରେ ଖେଳାଇଛନ୍ତି ଆତଙ୍କ । କାହାରିକୁ ଭୟ ନ କରି ନିଜର ଆତଙ୍କରାଜ୍‌ ଚଳାଇଛନ୍ତି ଲୁଟେରା । ଖାଲି ରାଜ୍ୟ ରାଜଧାନୀରେ ନୁହେଁ ବିଭିନ୍ନ ଜିଲ୍ଲାରେ ଆତଙ୍କରାଜ୍‌ ଚଳାଇଛନ୍ତି ଏହି ଲୁଟେରାମାନେ । ପୋଲିସ୍‌ ଆଖିରେ ଧୂଳି ଦେଇ ନିଜର କାୟା ବିସ୍ତାର କରୁଛନ୍ତି । ଏଭଳି ଏକ ଚୋରି ଘଟଣା ଏବେ ସାମ୍ନାକୁ ଆସିଛି । ମୁହଁରେ କପଡା ବାନ୍ଧି ଚୋର ଲୁଟି ନେଇଛି ମୋଟା ଅଙ୍କର ଟଙ୍କା ।

ଆନନ୍ଦପୁର ଥାନା ଫକୀରପୁର ଛକରେ ଥିବା ଏକ କୃଷିଜାତ ସାମଗ୍ରିକ ଦୋକାନରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଯାହା ସୂଚନା ମିଳିଛି କି, ବିଳମ୍ବିତ ରାତିରେ ଏହି ମୁଖା ପିନ୍ଧା ଦୁର୍ବୁତ୍ତ ଏଭଳି ଲୁଟ୍ କରିଛି । ଦୋକାନ ଭିତରେ ବ୍ୟବସାୟୀ ନଗଦ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରଖି ଘରକୁ ଆସିଥିଲେ । ତେବେ ଘରୁ ଫେରି ଦୋକାନର ସଟର ଖୋଲି ଦେଖିଲା ବେଳକୁ ସେ ରଖିଥିବା ସ୍ଥାନରେ ଟଙ୍କା ନାହିଁ । ଯାହାପରେ ତାଙ୍କ ଦୋକାନରୁ ଲୁଟ୍ ହୋଇଥିବା ସେ ଜାଣିବାକୁ ପାଇଥିଲେ ।

ତେବେ ସମ୍ପୂର୍ଣ୍ଣ ଚୋରିର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।  କେମିତି ଚୋର ଜଣକ ମୁହଁରେ କପଡା ବାନ୍ଧି ଦୋକାନରେ ଭିତରେ ପଶୁଛି, ଆଉ ଚୋରି କରିବାକୁ ଚାରି ଆଡ ଖୋଜିପକାଉଛି । ଆଉ ତାପରେ ଟଙ୍କା ଥିବା ଦେଖି ସବୁ ଟଙ୍କାକୁ ଟେବୁଲ୍ ଉପରେ ରଖି, ଶେଷରେ ସବୁ ଏକାଠି କରି ପକେଟ ଭିତରେ ପୁରାଇ ଦେଉଛି । ଆଉ ଘଟଣାସ୍ଥଳରୁରେ ଛୁ ମାରୁଛି । ଏସବୁ ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି ।

ତେବେ ଘଟଣାକୁ ନେଇ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯାଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ସିସିଟିଭିରେ ଜଣେ ମୁଖା ପିନ୍ଧା ଦୁର୍ବତ୍ତ ଏଭଳି ଲୁଟ୍ କରିଥିବା ନଜରକୁ ଆସିଥିବା ବେଳେ ଖୁବ୍ ଶୀଘ୍ର ଦୁର୍ବୁତ୍ତକୁ କାବୁ କରାଯିବାକୁ ଉଦ୍ୟମ କରାଯାଉଥିବା ପୋଲିସ୍ ସୂଚନା ଦେଇଛି ।

ତେବେ ପୋଲିସ୍ ଯେତେ ସତର୍କ ରହିଲେ ସୁଦ୍ଧା ଥମିବାର ନାଁ ନେଉନି ଲୁଟେରାଙ୍କ ଆତଙ୍କ । କେଉଁଠି ଦିନ ଦ୍ୱିପ୍ରହରରେ ଦୋକାନ ବଜାରରେ ଲୁଟ୍‌ କରୁଛନ୍ତି ତ କେଉଁଠି ବିଳମ୍ବିତ ରାତିରେ । ସିସିଟିଭି ଥାଇକି ବି ବିନା ଭୟରେ ଏଭଳି ମୁହଁରେ କପଡା ବାନ୍ଧି ହେଉ କି ବିଭିନ୍ନ ଅଭିନବ ଉପାୟରେ ହେଉ ଲୁଟ୍ କରି ଫେରାର୍ ମାରୁଛନ୍ତି ।

 

You might also like