୧୧ କେଭି ବିଦ୍ୟୁତ ଆଘାତ ଲାଗି ମିସ୍ତ୍ରୀ ମୃତ, ଘର ମାଲିକଙ୍କୁ ଦାୟୀ କଲେ ମୃତକଙ୍କ ପରିବାର
ଆନନ୍ଦପୁର: ୨ ମହଲା ଘର ଛାତ ପକାଇବା ପାଇଁ ସଟ୍ରିଂ କରିବାକୁ ଚାଲିଥିଲା ମାପଚୁପ, ଘର ଉପରେ ଯାଇଥିବା ୧୧ କେଭି ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ସଟ୍ରିଂ ମିସ୍ତ୍ରୀ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଆନନ୍ଦପୁର ଥାନା ଅଧିନ ଫକୀରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ନିର୍ମାଣାଧିନ ଏକ ଘରୋଇ କୋଠା ଘରେ । ମୃତକ ଫକୀରପୁର ଗାଁର ଅଖିଳ ରଣାଙ୍କ ପୁଅ ରାଜେଶ ରଣା । ଘର ମାଲିକଙ୍କ ଡାକରାରେ ଆଜି ସକାଳେ ଘରର ଛାତ ପଡିବା ପାଇଁ ସଟ୍ରିଂ କାମ କରିବାକୁ ଯାଇଥିଲେ ରାଜେଶ । ଛାତ ଉପରେ ଚଢ଼ି ମାପଚୁପ କରୁଥିବା ସମୟରେ ଅସାବଧାନତା ବଶତଃ ନିକଟରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ।
ଘରମାଲିକ ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲ ଠାରେ ପହଁଞ୍ଚାଇବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତେବେ ଏଭଳି ଅଘଟଣ ପାଇଁ ଘର ମାଲିକଙ୍କୁ ଦାୟି କରିଛନ୍ତି ପରିବାର ଲୋକେ। ବିଦ୍ୟୁତ ସରବରାହ ବନ୍ଦ ନକରି ବିଦ୍ଯୁତ୍ ତାରର ଅତି ନିକଟରେ କାମ କରାଇବାରୁ ନିଜ ଭାଇର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ବଡଭାଇ ।