ଘର କାମ କରିବାକୁ ଆସୁଥିବା ମିସ୍ତ୍ରୀ ମାଲିକ ଝିଅକୁ ନେଇ ଫେରାର, ଭିଡିଓ କରି କହିଲା ଆମେ ଦୁଇ ପ୍ରେମପକ୍ଷୀ

ଭଞ୍ଜନଗର (କେନ୍ୟୁଜ୍): ଆଜିକାଲି ନିତିଦିନିଆ ହୋଇଗଲାଣି , ନିଖୋଜ , ଅପହରଣ , ବିଚାରହୀନ ପ୍ରେମ ଓ ପ୍ରେମ ବିବାହ  ଘଟଣା । କିଏ ସଫଳ ହେଉଛି ତ’ , ଆଉକିଏ ବିଫଳ । ପୁଣି କିଏ ଆଇନତଃ ସ୍ବୀକୃତି ପାଉଛି ତ କିଏ ସାମାଜିକ ଅଧିକାର ମଧ୍ୟ ପାଉଛି । ଆଉ କେହି ସବୁ ସମ୍ପର୍କ ଠାରୁ ଛିଟିକି ପଡୁଛି । ତେବେ ଏଭଳି ଘଟଣାକୁ ନେଇ  ଖବର କରିବା  ଯଦିଓ ଆଜିର ଦିନରେ କିଛି ନୂତନତ୍ବ ନାହିଁ । ତଥାପି ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ଘଟିଥିବା ଏକ ଚର୍ଚ୍ଚିତ ଓ ନାଟକୀୟ ମୋଡ଼  ନେଇଛି ଏହି ଘଟଣା।

ଉଚ୍ଚ ଶିକ୍ଷିତ ଝିଅ । BED ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିଲା । କିଛି କାଗଜପତ ଜେରକ୍ସ କରିବା ପାଇଁ  ମା’ଙ୍କୁ କହି ପାଖ ବଜାରକୁ ଯାଇଥିଲା ଝିଅ । ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଝିଅ ଆଉ ଘରକୁ ଫେରିଲା ନାହିଁ । ବ୍ୟସ୍ତ ହୋଇପଡିଲେ ପରିବାର ଲୋକେ । ଶେଷରେ ଘର ଲୋକେ ନିଶ୍ଚିତ ହେଲେ ଝିଅ ନିଖୋଜ ହୋଇଛି  । ଥାନାରେ ନିଖୋଜ ସଂପର୍କରେ ଏତଲା ଦେଲେ । ଦୁଇଦିନ ପରେ ପରିବାର ଲୋକେ ଜାଣିବାକୁ ପାଇଲେ  କିଛି ଯୁବକ ମୋଟର ସାଇକଲରେ ଆସି ଝିଅକୁ ଅପହରଣ କରିଛନ୍ତି । ପୁଣି ଥାନାରେ ଲିଖିତ ଅଭିଯୋଗ କଲେ  ଝିଅକୁ ଅପହରଣ କରାଯାଇଛି । ତା’ପରଦିନ ପରିବାର ଲୋକେ ନିଶ୍ଚିତ ହେଲେ ଏହି ଅପହରଣ ଘଟଣା ଘଟାଇଛି ନିଜ ଘରକାମ କରିବାକୁ ଆସୁଥିବା ମିସ୍ତ୍ରୀ ଜଣକ । ଗଂଜାମ ଜିଲ୍ଲାର  ଗାଙ୍ଗପୁର ଥାନା ଅନ୍ତର୍ଗତ କବିରାଜପୁର ଗାଁରେ ଘଟିଥିଲା ଏଭଳି ଏକ ଘଟଣା । ଘଟଣାର ରହସ୍ୟକୁ ଭେଦକରିବା ପାଇଁ  ପୋଲିସକୁ  ନାକେଦମ୍ ହେବାକୁ ପଡ଼ିଥିଲା । ଅପହୃତ ଝିଅକୁ ଉଦ୍ଧାର ସହ  ଅପହରଣକାରୀକୁ ଧରିବା  ପୋଲିସ୍ ପାଇଁ ଚାଲେଞ୍ଜ ସୃଷ୍ଟି ହେଲା ।

ଘଟଣାର କିଛିଦିନ ପରେ ଏକ ଭିଡିଓ ଭାଇରଲ୍ ହେଲା । ନିଜେ ଝିଅ , ପୁଅ ସହିତ ରହି ଭିଡିଓ ବର୍ତ୍ତାରେ କହିଥିଲା ମୋ ନିଜ ଇଛାରେ ପୁଅ ସହିତ ଆସିଛି । ସଂପୃକ୍ତ ଯୁବକ ସହିତ ସବୁଦିନେ ରହିବେ । ପରିବାର ଲୋକେ ଥାନାରେ କରିଥିବା ମାମଲା ଉଠାଇ ନିଅନ୍ତୁ ତା’ନହେଲେ ସେ ଆତ୍ମହତ୍ୟା କରିବେ । ଏହାପରେ ଘଟଣା ପଛରେ ରହସ୍ୟ ଆଉ ଅଛପା ରହିଲା ନାହିଁ । ନିଖୋଜ ଓ ଅପହରଣ ଅଭିଯୋଗର ମୂଳରେ  ସଂପୃକ୍ତ ଯୁବକ ବିଷୟରେ ସ୍ପଷ୍ଟ ହୋଇଯାଇଥିଲା । ଘରକାମ କରିବାକୁ ଆସୁଥିବା ମିସ୍ତ୍ରୀ ଜଣକ  ଏମିତି ଘଟଣା ଘଟାଇଛି ଜାଣିବାପରେ  ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ ।

ଘଟଣା ପରେ ଗାଙ୍ଗପୁର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି  ସଂପୃକ୍ତ ଯୁବକ ଓ ଯୁବତୀଙ୍କୁ ଧରି ଥାନାକୁ ଆଣିଥିଲା । ସେତେବେଳକୁ ଉଭୟେ କୋର୍ଟରେ ବିବାହ କରିଥିବା ପ୍ରମାଣ ଦେଖାଇଥିଲେ । ପୋଲିସ୍ ବି ନାଚାର, ଯେହେତୁ ସେମାନେ ସାବାଳକ ଏବଂ ଆଇନତଃ ନିଜ ଅଧିକାର ଓ ନିଷ୍ପତ୍ତି ବିଷୟରେ ଜଣାଇଥିଲେ । ଏହି ଘଟଣାରେ ସଂପୃକ୍ତ ପୁଅ , ଝିଅ ଓ ପରିବାର ଲୋକଙ୍କ ପ୍ରତିକ୍ରିୟା ଆମେ ନେଇଥିଲୁ ।

ସବୁ ଘଟଣା ଜାଣିବାପରେ ମଧ୍ୟ  ଝିଅକୁ ଗ୍ରହଣ କରିବା ପାଇଁ ରାଜି ଅଛନ୍ତି ବୋଲି ପ୍ରତିକ୍ରିୟାରେ କହିଥିଲେ  ଝିଅର ପରିବାର ଲୋକେ । ହେଲେ ପ୍ରେମ ଓ ବିବାହର ନିଷ୍ପତ୍ତିରେ ଅଟଳ ଥିବା ଝିଅ ପରିବାର ଲୋକଙ୍କ ସବୁ ସ୍ନେହ ଓ ଭରଷା ଉପରେ ପୂର୍ଣ୍ଣିଛେଦ ଆଙ୍କିଦେଲା।  ଘଟିଥିବା ସମୁଦାୟ ଘଟଣାର  ଆଇନଗତ ପରିସ୍ଥିତି ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବୀ । କାହିଁକି ଏଭଳି ଘଟଣାର ସୂତ୍ରପାତ ହେଉଛି  ଏହି ଘଟଣାର ପରିଣତି ଓ ନିରାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

ପ୍ରେମକୁ ନେଇ ଅନେକ କଥା , କବିତା , ଆଲୋଚନା ଓ ସମାଲୋଚନା , ଉଣାଅଧିକେ ଅଧିକାଂଶ ଙ୍କ ନଜରକୁ ପ୍ରାୟ ସମୟରେ ଆସିଛି । ଏଠି ପ୍ରେମର ରାସ୍ତା , ଭିନ୍ନ ଏକ ସମୀକରଣ ହୋଇଛି । ଘର ତିଆରି କରିବାକୁ ଆସିଥିବା ମିସ୍ତ୍ରୀ ଜଣକ , ଘରକୁ ଅଧାଗଢ଼ା କରି ଚାଲିଗଲା । ଏବେ ମାଲିକଙ୍କ ଝିଅକୁ ନେଇ ସଂସାର ଘରକୁ କିଭଳି ସଂପୂର୍ଣ୍ଣ କରିବ , ତାକୁ ନେଇ ଏବେ ଚର୍ଚ୍ଚା ।

Leave A Reply

Your email address will not be published.