ଅଧୁନା ସମାଜରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ହେଲେ ପ୍ରତ୍ୟେକ ବରକନ୍ୟାଙ୍କ ପିତା ମାତାଙ୍କୁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡ଼େ। ପ୍ରସ୍ତାବିତ ବିବାହ ଅପେକ୍ଷା ପ୍ରେମ ବିବାହରେ ଅଧିକ ଅସୁବିଧା ଦେଖାଦେଇଥାଏ। ବରର ପିତା ମାତା କେତେବେଳେ ଅରାଜି ତ କନ୍ୟା ପିତା ମାତା ଆଉ କେତେବେଳେ। ତେଣୁ ଅନେକ ସମୟରେ ପ୍ରେମରେ ପଡିଥିବା ଯୁବକଟି ସ୍ୱୀକୃତି ନ ପାଇ ଆତ୍ମହତ୍ୟା କରେ କିମ୍ବା ପ୍ରେମିକାର ପରିବାର ଉପରେ ପ୍ରତିଶୋଧ ନିଏ।
ଏସବୁ ଘଟଣାକୁ ଆଖି ଆଗରେ ରଖି କିଛି ବ୍ୟକ୍ତି ଏକତ୍ରିତ ହୋଇ ପରିବାରର ଅସହମତି, ଯୌତୁକ ଅସଙ୍ଗତି, ଅନାବଶ୍ୟକୀୟ ସାମାଜିକ ପ୍ରଥା, ବୈବାହିକ ଉତ୍ତରଦାୟିତ୍ୱ ସମ୍ପର୍କରେ ଅନଭିଜ୍ଞ ଝିଅ ପୁଅମାନଙ୍କୁ ଏକତ୍ରିତ କରି ବିବାହ ବନ୍ଧନରେ ବାନ୍ଧିବା ପାଇଁ ପ୍ରୟାସ ନାମକ ଏକ ସଂସ୍ଥା ପକ୍ଷରୁ ଭୁବନେଶ୍ୱରସ୍ଥିତ ରାମ ମନ୍ଦିର ପରିସରରେ ଏକ ସାମୂହିକ ବିବାହର ଆୟୋଜନ କରିଥିଲେ, ଯାହାକି ଦୀର୍ଘ ସାତ ବର୍ଷ ହେଲାଣି ଚାଲି ଆସୁଛି।
ବରଯାତ୍ରୀ ନାଚି ନାଚି ଆସୁଥାନ୍ତି ହେଲେ ତାଙ୍କ ଆଗରେ ବାଜାବାଲା ସହିତ ଗଛର ପତ୍ର ଦଳ ପିନ୍ଧି ହାତରେ ଖଣ୍ଡା ଖର୍ପର ଧରି କିଛି ଆଦିବାସୀ ନାଚି ନାଚି ଆସୁଥାନ୍ତି। ଆଉ ତାଙ୍କ ସାଙ୍ଗରେ ଭାଲୁ ବେଶରେ ସଜେଇ ହୋଇ ଜଣେ ଆସିଥାଏ। ନାଚ ବାଜାରେ ପରିସର ଆଖପାଖ ଅଂଚଳ ପ୍ରକମ୍ପିତ ହେଉଥାଏ। ପଛରେ ଧାଡି ଧାଡ଼ି ଗାଡିରେ ବରବେଶରେ ଅନେକ ବର ଆସି ପହଞ୍ଚିଲେ। ସେମାନଙ୍କୁ ଯଥାବିଧି ବିଧାନରେ ବରଣୀ କରି ପାଛୋଟି ନେଉଥାନ୍ତି ନିଜ ନିଜ ଲୋକମାନେ। ଆଗୁରୁ କନ୍ୟାମାନେ ପ୍ରସ୍ତୁତ ହୋଇ ବିବାହ ମଣ୍ଡପ ଯିବା ପାଇଁ ଅପେକ୍ଷା କରି ରହିଥାନ୍ତି। ପରେ ବର କନ୍ୟା ଧାଡି ହୋଇ ଯାଇ ବସିଲେ ବିବାହ ମଣ୍ଡପରେ। ତାପରେ ବେଦିରେ ବସି ପୂଜକ ମନ୍ତ୍ର ପାଠ କଲେ। ଆରମ୍ଭ ହେଲା ବାହାଘର ପ୍ରତ୍ୟେକ ରୀତିନୀତି। ତା ଭିତରେ କୋଉଠି ଝିଅ ବାହା ବେଦିରେ ବସି କାନ୍ଦୁଥାଏ ତ ଆଉ କୋଉଠି ମା। ମନ୍ତ୍ର ଉଚ୍ଚାରଣରେ ସମଗ୍ର ଅଞ୍ଚଳ କମ୍ପୁଥାଏ। ଶେଷରେ ଭୋଜି ଭାତ ଖାଇବା ପରେ ଶେଷ ହେଲା ବିବାହ। ସବୁ ଝିଅଙ୍କୁ ଘରର ଆସବାବ ପତ୍ର ସହିତ ବିବାହ ସାର୍ଟିଫିକେଟ ଦେଇ ବିଦା କରାଯାଇଥିଲା। ଏ ୨୫ ଜଣ ଯୋଡ଼ି ସମସ୍ତଙ୍କର ପ୍ରେମ ବିବାହ ଥିଲା। ଦୀର୍ଘ ବର୍ଷର ପ୍ରେମ ପରେ ଆଜି ଏଠାରେ ସେମାନଙ୍କ ପ୍ରେମକୁ ମିଳିଲା ସ୍ୱୀକୃତି, ଯାହା ତାଙ୍କ ହସରୁ ସ୍ପଷ୍ଟ ବୁଝା ପଡ଼ୁଥିଲା ।