ରାଜନଗର: ବାତ୍ୟା ଦାନା ପ୍ରଭାବରେ ରାଜନଗରରେ ବ୍ୟାପକ ପ୍ରଭାବ ପଡ଼ିଛି । ଘର ଦ୍ଵାର ଭାଙ୍ଗିଛି ,ଗଛ ଉପୁଡ଼ି ଯାଇଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ତା ସହ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଭିତରକନିକା ହବାଳି ଖଟିରେ ବାତ୍ୟା ଦାନା ଲ୍ୟାଣ୍ଡଫଲ୍ କରିବା ପରେ ସେଠାରେ ଥିବା କଟେଜ ଗୁଡିକ ଭାଙ୍ଗି ଛାରଖାର ହୋଇଛି । ଏପରିକି ଗତକାଲି ମଧ୍ୟରାତ୍ରିରୁ ୧୫୦ କିମିରୁ ଅଧିକ ବେଗରେ ପବନ ସହିତ ମୂଷଳ ଧାରାରେ ବର୍ଷା ହୋଇଛି। ରାଜନଗର ବ୍ଲକ୍ର ୨୯ଟି ପଞ୍ଚାୟତରେ କ୍ଷୟକ୍ଷତି ହୋଇଛି। ସେଥିରୁ ୮ଟି ପଞ୍ଚାୟତରେ ଅଧିକ କ୍ଷୟକ୍ଷତି ହୋଇଛି। ୫୦ହଜାରରୁ ଅଧିକ ଗଛ ଓ ଶହଶହ ସଂଖ୍ୟାରେ କଚ୍ଚା ଏବଂ ଆଜ୍ବେଷ୍ଟସ୍ ଘର ଭାଙ୍ଗିଛି।
ସେହିପରି ଉପକୂଳବର୍ତ୍ତୀ କିଛି ଗାଁରେ କଚ୍ଚା ତଥା ମାଟି କାନ୍ଥ ଘର ଭାଙ୍ଗିବା ସହ ଚାଳଘର ଗୁଡ଼ିକର ଛପର ଉଡ଼ିଯାଇଛି । ଗଛଡାଳ ପଡ଼ି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ୍ ତାର ଛିଣ୍ଡିଛି । ପିଚୁ ଓ ମାଟି ରାସ୍ତା ଧୋଇଯାଇଛି । ବ୍ୟାପକ ପରିମାଣରେ ଧାନ ଫସଲ କ୍ଷତି ହୋଇଥିବା ସୂଚନା ମିଳିଛି । ଭିତରକନିକା ଜାତୀୟ ଉଦ୍ୟାନରେ ବନ୍ୟପ୍ରାଣୀମାନେ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି । ସେହିପରି ସମୁଦ୍ର କୂଳରେ ଥିବା ଅନ୍ୟ ଜଙ୍ଗଲରେ ମଧ୍ୟ ଜୀବଜନ୍ତୁ ପ୍ରଭାବିତ ହୋଇଛନ୍ତି । ଜୀବଜନ୍ତୁମାନେ କେତେ ପ୍ରଭାବିତ ହୋଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ଯଦିଓ ମିଳିପାରିନି ତଥାପି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି ।
ବାତ୍ଯା ପରେ ବିଭିନ୍ନ ସ୍ଥାନରେ ରେସ୍କ୍ଯୁ ଅପରେସନ ଆରମ୍ଭ ହୋଇଯାଇଛି । ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ଏନଡିଆରଏଫର ଟିମ୍ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି । ରାସ୍ତାରୁ ଗଛ ହଟାଇବା କାମ ଆରମ୍ଭ ହୋଇଯାଇଛି । ବିଭିନ୍ନ ସ୍ଥାନରେ ବିଦ୍ଯୁତ ସରବରାହ ବନ୍ଦ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ସ୍ଥିତି ସ୍ବାଭାବିକ ପାଇଁ ରେସ୍କ୍ଯୁ ଟିମ୍ ଲାଗି ପଡ଼ିଛନ୍ତି । ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସ୍ବାଭାବିକ କରିବା ପାଇଁ କସରତ କରୁଛି ପ୍ରଶାସନ ।