ଆଜିଠୁ ମାଟ୍ରିକ ପରୀକ୍ଷା, ସିସିଟିଭି ସ୍କାନରରେ ସେଣ୍ଟର

ଆଜିଠୁ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୩୦୪ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ଦୁର୍ଗମ ଓ ସମ୍ବେଦନଶୀଳ ସ୍ଥାନରେ ୧୯ଟି ପୋଲିସ ଷ୍ଟେସନରେ ରହିଛି ନୋଡାଲ ସେଣ୍ଟର। ନୋଡାଲ ସେଣ୍ଟରରୁ ଆଜି ସକାଳ ୬ରୁ ସାଢ଼େ ଆଠ ଭିତରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର । ଚଳିତ ବର୍ଷ ୨୯୫୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୨୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ଗତବର୍ଷ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବାରୁ ଚଳିତବର୍ଷ ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ୫ ସ୍ତରୀୟ ତଦାରଖ ବ୍ୟବସ୍ଥା ହୋଇଛି। ୫୮ଟି ଫ୍ଲାଇଂ ସ୍କ୍ଵାଡ୍‌, ସେଣ୍ଟାଲ ଅଫିସ, ଜୋନାଲ ଅଫିସ ଓ ଜିଲ୍ଲା ସ୍ତରରେ ସ୍କ୍ଵାଡ୍‌ ସହ ଗଣ ଶିକ୍ଷା ବିଭାଗ ତରଫରୁ ପ୍ରତି ଜିଲ୍ଲାରେ ଜଣେ ନୋଡାଲ ଅଫିସର ଦାୟିତ୍ୱରେ ରହିବେ। ଜାରି ହୋଇଛି ୧୭ ପଏଣ୍ଟ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ। ସେଣ୍ଟର ମଧ୍ୟକୁ କୌଣସି କର୍ମଚାରୀ ସେଲ ଫୋନ ନେଇ ପାରିବେ ନାହିଁ। କେତେବେଳେ ଛାତ୍ର ପ୍ରବେଶ କରିବେ, କେତେବେଳେ ପ୍ରଶ୍ନପତ୍ର ଖୋଲାଯିବ ତାର ସମୟ ନିର୍ଦ୍ଧାରିତ ହୋଇଛି । ଚଳିତ ବର୍ଷ କିଛି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି । ଆସନ୍ତା ବର୍ଷରୁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ।

ପ୍ରଥମ ଦିନ ଓଡିଆ ପରୀକ୍ଷା ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ଏଥର ପରୀକ୍ଷାର୍ଥୀମାନେ ୪ଟି ସମାନ୍ତର ପ୍ରଶ୍ନସେଟରେ ପରୀକ୍ଷା ଦେବେ । ପରୀକ୍ଷାରେ ପାସ୍‌ ହେବାକୁ ପ୍ରତି ବିଷୟର ଉଭୟ Objective ଓ subjective paper ରେ ଅତି କମରେ ୧୫ ମାର୍କ ଲେଖାଁଏ ରଖିବାକୁ ପଡିବ। ମାର୍ଚ୍ଚ ୮ ଯାଏଁ ପରୀକ୍ଷା ହେବ ।