ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ପ୍ରଶ୍ନପତ୍ର ଭାଇରାଲ ଘଟଣା , ନୂଆପଡ଼ାରେ ୫ ଶିକ୍ଷକ ଗିରଫ

ନୂଆପଡ଼ା(କେନ୍ୟୁଜ୍) : ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ଘଟଣାରେ ନୂଆପଡ଼ାରେ ୫ ଶିକ୍ଷକ ଗିରଫ । ସେମାନଙ୍କୁ ବୋଡେନ ଥାନା ପୋଲିସ ଗିରଫ କରିଛି । ଗିରଫ ଶିକ୍ଷକମାନେ ହେଲେ ବରଙ୍ଗମାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ପ୍ରସନ୍ନ କୁମାର ପତି, ଇନଭିଜିଲେଟର ବିଘ୍ନରାଜ ସୁପକାର, ମୁକୁନ୍ଦ ଶବର ଓ ଲିଟିସର୍ଗି ଗୋପନାଥ ହାଇସ୍କୁଲ ପରୀକ୍ଷାକେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ସୁଶୀଳ କୁମାର ଯୋଶୀ ଏବଂ କ୍ରୀଡ଼ା ଶିକ୍ଷକ ଅର୍ଜୁନ ପଣ୍ଡା । ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଏହି ୫ ଜଣ ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଥିଲା । ଗତକାଲି ବୋର୍ଡ ପରୀକ୍ଷା ପ୍ରଥମ ଦିନରେ ସାହିତ୍ୟ ବିଷୟରେ ପରୀକ୍ଷା ହୋଇଥିଲା । ପରୀକ୍ଷା ଶେଷ ଆଡ଼କୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୂରି ବୁଲିବା ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଛି ।