ପାରାଦୀପରେ ସର୍ବାଧିକ ବର୍ଷା, ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର : ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’ । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ଦାନା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ପାରାଦୀପରେ ସର୍ବାଧିକ ୬୨.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ସେହିପରି ଚାନ୍ଦବାଲିରେ ୪୬.୨, କୁଜଙ୍ଗ ଓ ରାଜକନିକାରେ ୨୭ ମିମି, ରାଜନଗରରେ ୨୪ ଓ ନୀଳଗିରିରେ ୨୩ ମିଲିମିଟର, ପଟ୍ଟାମୁଣ୍ଡାଇରେ ୨୨.୫, ଆଳିରେ ୨୧ ମିମି ବର୍ଷା ରେକର୍ଡ ହୋଇଛି। ପୁଣି ଥରେ ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା ଜାରି କରାଯାଇଛି । ବାତ୍ୟା ‘ଦାନା’ର ପ୍ରଭାବରେ ଦୀଘା ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇଛି । ସେହିପରି ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ପୁରୀ ଉପକୂଳ ସମୁଦ୍ରରେ ଜୁଆର ୧ ରୁ ୨ ମିଟର ଅଧିକ ଉଚ୍ଚ ରହିଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ସମୁଦ୍ରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।