ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ମୟୂରଭଞ୍ଜ(କେନ୍ୟୁଜ୍) : ବିପର୍ୟ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଅଭିଯୋଗରେ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ବିଜେପି କର୍ମୀମାନେ ପିକେଟିଂ କରି ମୟୂରଭଞ୍ଜ ଦେଇ ଯାଇଥିବା ୧୮ ଓ ୪୯ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ବନ୍ଦ ରହିଛି ବସ୍ ଚଳାଚଳ । ସେହିପରି ଦୋକାନବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବାରିପଦା ସମେତ ଉଦଳା, ରାଇରଙ୍ଗପୁର, କରଞ୍ଜିଆ ଉପଖଣ୍ଡରେ ବନ୍ଦ୍ର ପ୍ରଭାବ ପଡ଼ିଛି ।
ନିକଟରେ ରାଜ୍ୟ ସରକାର ୭ଟି ବିଶ୍ୱବିଦ୍ୟାଳୟରେ ୟୁପିଏସସି କୋଚିଂ ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ଏଥରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବାଦ୍ ପଡ଼ିଛି । ସେହପିର ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ୪୦୩ ଡାକ୍ତର ପଦରୁ ୨୨୦ଟି ପଦବୀ ଖାଲି ପଡ଼ିଥିବାରୁ ସ୍ୱାସ୍ଥ୍ୟସେବା ବିପର୍ୟ୍ୟସ୍ତ ହୋଇଥିବା ଅଭିଯୋଗ କରିଛି ବିଜେପି । ଏହାର ପ୍ରତିବାଦରେ ଆଜି ପୂରା ମୟୂରଭଞ୍ଜ ଜିଲ୍ଲାରେ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି ।