କଳା ସଂସ୍କୃତିର ମାଟି ମୟୁରଭଞ୍ଜରେ ପୂଜ୍ୟପୂଜାର ପରମ୍ପରା : ମୟୁରଭଞ୍ଜ ମହାସମ୍ମାନ- ୨୦୧୮ରେ ସମ୍ମାନିତ ହେଲେ ବହୁ ବିଶିଷ୍ଟ କଳାକାର

ବାରିପଦା (କେ ନ୍ୟୁଜ୍) : ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରକୁ ଯୁଗେ ଯୁଗେ ସମୃଦ୍ଧ କରି ଆସିଥିବା ମୟୁରଭଞ୍ଜ ମାଟି ଆରମ୍ଭ କରିଛି ଏକ ନୂଆ ପ୍ରୟାସ । ବାରିପଦା ଠାରେ ଆୟୋଜିତ ଉତ୍ସବରେ ହୋଇଥିଲା ମହାରଥୀମାନଙ୍କ ମହାସଙ୍ଗମ । ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଥିଲେ ଓଡ଼ିଶାର ଥିଏଟର, ରେଡିଓ, ଟେଲିଭିଜନ ଓ ଫିଲ୍ମଜଗତର ବରିଷ୍ଠ କଳାକାରମାନେ । ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ମୟୁରଭଞ୍ଜ ମହାସମ୍ମାନ- ୨୦୧୮ ଉତ୍ସବ ।
ବାରିପଦା ସହିଦ ସ୍ମୃତି ଭବନରେ ଆୟୋଜିତ ହୋଇଛି ଏହି ଉତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଖୁବ୍ ଜମିଥିଲା ମୟୁରଭଞ୍ଜ ମହାସମ୍ମାନ ଉତ୍ସବ । ନିଜ ନିଜ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଁଚିଥିବା କଳକାରଙ୍କୁ ପୁରସ୍କୃତ କରାଯାଇଛି । ପ୍ରସିଦ୍ଧ ନିର୍ଦ୍ଦେଶକ ଚଣ୍ଡୀ ପରିଜା, ସଙ୍ଗୀତଜ୍ଞ ପ୍ରେମାନନ୍ଦ, ଗୀତିକାର ବସନ୍ତରାଜ ସାମଲ, ଜାତୀୟ ସମ୍ମାନ ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ତଥା ସମ୍ପାଦକ ଗଦାଧର ପୁଟ୍ଟିଙ୍କଙ୍କୁ ସମ୍ମାନିତ କରିଛି ମୟୁରଭଞ୍ଜ ମାଟି । ମୟୁରଭଞ୍ଜ ମାଟିରୁ ଜନ୍ମ ଅନେକ ବିଶିଷ୍ଟ କଳାକାରଙ୍କର । ସଙ୍ଗୀତଜ୍ଞ ରାଧାକୃଷ୍ଣ ଭଞ୍ଜଙ୍କ ଠାରୁ ଆରମ୍ଭ କରି ସରୋଜ ପଟ୍ଟନାୟକ, ଶାନ୍ତନୁ ମହାପାତ୍ର, ଉତ୍ତମ ମହାନ୍ତି, ବିଜୟ ମହାନ୍ତି ଓଡ଼ିଆ ସିନେ ଜଗତକୁ ୠଦ୍ଧିମନ୍ତ କରିଛନ୍ତି ।
ସେହିପରି ହରିଶ ଚନ୍ଦ୍ର ସିଂବାବୁ, ପଦ୍ମ ଭୂଷଣ ଯତୀନ ଦାସ, ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ଶିବ ପାଣିଗ୍ରାହୀଙ୍କ ସମେତ ରମେଶ ମହାନ୍ତି, ରାମାନୁଜ ଶେଖରଙ୍କ ଭଳି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ, ଗୀତିକାର ନିମାଇଁ ମହାନ୍ତି ମଧ୍ୟ ଏହି ମାଟିର ବରପୁତ୍ର । ମୟୁରଭଞ୍ଜ ଜିଲ୍ଲା ଯେଉଁ କଳା ଓ ସଂସ୍କୃତି ପାଇଁ ଗର୍ବିତ ସେହି କଳା ଓ ସଂସ୍କୃତି ପାଇଁ ନୂଆ ପିଢ଼ିକୁ ପ୍ରସ୍ତୁତ କରିବା ଲାଗି ମହାରଥୀମାନଙ୍କ ଗହଣରେ ଜନ୍ମ ନେଇଛି ଅଭିରାମ ଅଭିନୟ । ଯିଏ ଏହି ପୂଜ୍ୟପୂଜାର ପରମ୍ପରା ଆରମ୍ଭ କରିଛି ।