ବିଡିଓ ମାଟି ହାଣିଲେ ଆଉ ମାଟି ବୋହିଲେ, ମୟୁରଭଞ୍ଜ ରରୁଆଁ ବିଡିଓଙ୍କୁ ପ୍ରଶଂସାର ସୁଅ ଛୁଟୁଛି

ରରୁଆଁ ବିଡିିଓ ନିଜେ କୋଦାଳ ଧରି ଶ୍ରମିକଙ୍କ ଭଳି ମାଟି ଖୋଳିଲେ । ପୁଣି କଡ଼େଇରେ ମାଟି ଭର୍ତ୍ତି କରି ଶ୍ରମିକଙ୍କ ମୁଣ୍ଡକୁ ବୋହି ଦେଇଥିଲେ ।

କରଞ୍ଜିଆ (କେନ୍ୟୁଜ୍‌) : ଏତେ ଟାଣ ଖରା ଯେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । ତେଣୁ ରାଜ୍ୟ ସରକାର ଶ୍ରମିକମାନଙ୍କୁ ତାତି ବଢ଼ିଲା ପରେ ବାହାରେ କାମ କରିବାରୁ ବାରଣ କରିଛନ୍ତି । ତେବେ ଏହି ଗାଇଡ୍‌ ଲାଇନ୍‌ ଭିତରେ ରହି କାମ କରୁଥିବା ଶ୍ରମିକଙ୍କ ଭିତରେ ଆଜି କିଛି ଭିନ୍ନ କଥା ଦେଖିବାକୁ ମିଳିଥିଲା । ମୟୁରଭଞ୍ଜ ଜିଲ୍ଲାର ଶେଷ ସୀମା ଥିବା ରରୁଆଁ ବ୍ଲକ । ପ୍ରବଳ ଖରା ହେଉଥିବାରୁ ଦିନ ମଜୁରିଆଙ୍କ ସଂଖ୍ଯା କମିବାରେ ଲାଗିଛି । ତେବେ ଯେଉଁ ସବୁ ଉନ୍ନୟନ କାମ ଚାଲିଛି ତାକୁ ବର୍ଷା ଦିନ ପୂର୍ବରୁ ସାରିବାକୁ ହେବ । ଏଥିପାଇଁ ସରକାରଙ୍କର କଡ଼ା ନିର୍ଦ୍ଦେଶ ରହିଛି । ଏହି ପରିସ୍ଥିତିରେ ରରୁଆଁ ବ୍ଲକ ଅନ୍ତର୍ଗତ ବୁରୁହାତୁ ଗାଁରେ ଚାଲିଥାଏ ଏକ ପୋଖରୀ ଖୋଳା କାମ । ସେଥିରେ ଶ୍ରମିକମାନଙ୍କ ସହ ଜଣେ ପ୍ୟାଣ୍ଟସାର୍ଟ ପିନ୍ଧା ଭଦ୍ରବ୍ୟକ୍ତି କାମ କରୁଥାନ୍ତି । ଯାହା ଟିକେ ଅଲଗା ବାରି ହୋଇ ପଡୁଥାଏ । ଜଣାପଡ଼ିଲା କି ସେ ହେଉଛନ୍ତି ରରୁଆଁ ବିଡିିଓ ପ୍ରେମାନନ୍ଦ ବେହେରା । ସେଠାରେ ପୋଖରୀ ଖୋଳା କାମ ତଦାରଖ କରିବାକୁ ବିଡିଓ ଯାଇଥିଲେ । ତେବେ ଖରାରେ ଭାରି କଷ୍ଟରେ କାମ କରୁଥିବା ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ସହ ମିଶିଗଲେ । ନିଜେ କୋଦାଳ ଧରି ଶ୍ରମିକଙ୍କ ଭଳି ମାଟି ଖୋଳିଲେ । ପୁଣି କଡ଼େଇରେ ମାଟି ଭର୍ତ୍ତି କରି ଶ୍ରମିକଙ୍କ ମୁଣ୍ଡକୁ ବୋହି ଦେଇଥିଲେ ।

BDO-2

ଯାହାକୁ ଦେଖି ଖାଲି ସେଠାରେ କାମ କରୁଥିବା ଶ୍ରମିକ ନୁହନ୍ତି ସ୍ଥାନୀୟ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହେଇଥିଲେ । ନିଜେ କାମ କରିବା ସହିତ କିପରି ସହଜରେ ମାଟି ଖୋଳି ହେବ ସେ ବିଷୟରେ ବିଡିଓ ପ୍ରେମାନନ୍ଦ ବେହେରା ପରାମର୍ଶ ବି ଦେଇଥିଲେ । ଏନେଇ ଆମେ ବିଡିଓଙ୍କୁ ପଚାରିବାରୁ ସେ କହିଥିଲେ କି ଏତେ ଟାଣ ଖରାରେ ସେମାନେ କାମ କରୁଛନ୍ତି । କଷ୍ଟ ସହୁଛନ୍ତି । ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ମୁଁ ତାଙ୍କ ସାଙ୍ଗରେ ମିଶିଗଲି । ବିଡିଓଙ୍କର ଏଭଳି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.