ଟୀକା ନେବା ପାଇଁ ଅସମ୍ଭାଳ ଭିଡ଼, ଟୋକନ୍ ପାଇଁ ଠେଲା ପେଲା

କରଞ୍ଜିଆ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଳକରେ କରୋନା ଭ୍ୟାକ୍ସିନ (ଟୀକା) ପ୍ରଥମ ଓ ଦ୍ୱିତୀୟ ଡୋଜ ନେବା ପାଇଁ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ରାତି ୨ଟା ରୁ ଆସି ଲମ୍ବା ଧାଡିରେ ଛିଡା ହୋଇଥିବା ବେଳେ ଟୋକନ୍ ପାଇଁ ଠେଲା ପେଲା ହେଉଛନ୍ତି ଲୋକେ । ପୂର୍ବରୁ ଟିକା ନେବା ପାଇଁ ଗାଁ ଗହଳିରେ ଲୋକେ ନାରାଜ ହେଉଥିଲେ କିନ୍ତୁ ବର୍ତ୍ତମାନ ଟିକା ସରିବାକୁ ଆସୁଥିବା ବେଳେ ପ୍ରତ୍ୟେକ ଦିନ ହଜାରେ ରୁ ଊର୍ଦ୍ଧ୍ୱ ଲୋକେ ଟିକା ନେବା ପାଇଁ ୨୦ ରୁ ୩୦ କିମି ଦୂର ଦୁରାନ୍ତରରୁ ଆସୁଛନ୍ତି । ଏହି ବ୍ଲକର ପଡିଆଵେଡା ଓ ଚମ୍ପାଝର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଛି। ଯାହା ଫଳରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଭିଡ ଜମୁଛି ।

ବର୍ତ୍ତମାନ ପ୍ରଶାସନ ଦିନକୁ ୪ ଶହ ଜଣଙ୍କୁ ଟିକାଦେବା ପାଇଁ ଧାର୍ୟ୍ୟ କରି ଥିବାବେଳେ ବହୁ ସଂଖ୍ୟକ ଲୋକ ଟିକା ନେବା ପାଇଁ ଭୋର ୩ ଟା ରୁ ଡାକ୍ତରଖାନା ଗେଟ୍ ରୁ ଲମ୍ବା ଲାଇନ୍ ଲଗାଉଛନ୍ତି । ଗ୍ରାମାଞ୍ଚଳ ଗୁଡିକରେ ମୋବାଇଲ ଟାୱାର ନଥିବାରୁ ଅନ୍ ଲାଇନ୍ ପଞ୍ଜିକୃତ ହୋଇ ପାରୁନି। ଯାହା ଫଳରେ ପ୍ରମାଣ ପତ୍ର ନମିଳିବାର ଲୋକଙ୍କ ମନରେ ଭୟ ରହିଛି । ଟିକା ନେବା ପାଇଁ ଠାକୁରମୁଣ୍ଡା ମେଡିକାଲ ପରିସରରେ ପ୍ରତ୍ୟେକ ଦିନ ଭୋର ରୁ ଶହଶହ ଲୋକଙ୍କ ଲମ୍ବାଧାଡି ଲାଗୁଛି । ଯାହାରି ମଧ୍ୟରେ ୧୮ବର୍ଷରୁ ଊର୍ଦ୍ଧ୍ଵ ପୁରୁଷ, ମହିଳା ଏବଂ ଗର୍ଭବତୀ ମହିଳା ମଧ୍ୟ ରହିଛନ୍ତି ।

ଟିକା ନେବା ପାଇଁ ଆଶାୟୀ ଲୋକଙ୍କ ସଂଖ୍ୟା ହଜାରେ ରୁ ଊର୍ଦ୍ଧ୍ଵ ରହୁଥିବା ବେଳେ ଟିକା ଦିଆ ଯାଉଛି ମାତ୍ର ୫୦୦ଜଣଙ୍କୁ । ଅନ୍ୟମାନେ ନିରାଶ ହୋଇ ଫେରି ଯାଉଛନ୍ତି ନିଜ ଗ୍ରାମକୁ । ତେଣୁ ଠାକୁରମୁଣ୍ଡା ବ୍ଲକକୁ ଅଧିକ ପରିମାଣରେ ଟିକା ଯୋଗାଇବା ସହ ପ୍ରତ୍ୟେକ ପଞ୍ଚାୟତ ଗୁଡିକରେ କ୍ୟାମ୍ପ କରି ଟିକା ଦେବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି। ତେବେ ଏବିଷୟରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ. ଦିବାକର ମାଝୀ ଙ୍କୁ ପଚାରିବାରୁ କ୍ୟାମେରା ଆଗରେ କହିବା ପାଇଁ ମନା କରିଥିଲେ।

 

Leave A Reply

Your email address will not be published.