କଟକ(କେନ୍ୟୁଜ୍): ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ବା ଓଆରଏଚଡିସି ରଣ ମାମଲାରେ ଭୁବନେଶ୍ବର ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ଥ ହେବା ପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ନିଜର ବିଧାୟକ ପଦ ହରାଇ ସାରିଛନ୍ତି ଓ ଆଇନ ଅନୁଯାଇ କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ଥ ହେବା ପରେ ମୋକିମ ଆଉ ବିଧାୟକ ନୁହଁନ୍ତି ବୋଲି ମତ ରଖିଛନ୍ତି କିଛି ଆଇନଜୀବୀ।
ଜଣେ ବିଧାୟକ କିମ୍ବା ସାସଂଦ ଅବା ବିଧାନ ପରିଷଦର ସଭ୍ୟ କୌଣସି ଅପରାଧିକ ମାମଲାରେ ଦୁଇ ବର୍ଷ ବା ଏହା ଠାରୁ ଅଧିକ ସମୟ ପାଇଁ କାରାଦଣ୍ଡରେ ଦଣ୍ଡିତ ହେଲେ ସୁପ୍ରିମକୋର୍ଟଙ୍କ ଲିଲି ଥୋମାସ ବନାମ କେନ୍ଦ୍ର ସରକାର ମାମଲାର ନିର୍ଦ୍ଦେଶ ଅନୁଯାୟୀ ତାଙ୍କର ସଭ୍ୟ ପଦ ରଦ୍ଧ ହୋଇଥାଏ । ପ୍ରଥମେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଜୟଲଳିତା ଓ ପରେ ପରେ ଲାଲୁ ଯାଦବଙ୍କୁ ଏହି ଆଇନ ବଳରେ ନିଜ ନିଜର ସଭ୍ୟ ପଦ ହରାଇବାକୁ ପଡ଼ିଥିଲା । କିନ୍ତୁ ଓଡ଼ିଶାରେ ଏପରି ହେବା ପ୍ରଥମ ବୋଲି କହିଛନ୍ତି ଆଇନଜୀବୀ ।
ଏହା ସହିତ ସେ କହିଛନ୍ତି ବାଚସ୍ପତି ବିଧାନସଭାର ସର୍ବୋଚ୍ଚ କର୍ତ୍ତା । ସେ ନିର୍ଦ୍ଦେଶନାମା ପାଇବା ପରେ ମୋକିମଙ୍କ ସଭ୍ୟ ପଦ ନେଇ ନିଷ୍ପତ୍ତି ନେଇ ପାରନ୍ତି। ତେବେ ଦେଶର ସର୍ବୋଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ ହିଁ କାର୍ଯ୍ୟକାରୀ ହେବାରେ ସମସ୍ୟା ନାହିଁ ବୋଲି ମତ ଦେଇଛନ୍ତି ହାଇକୋର୍ଟର ଆଇନଜୀବି ବିଭୁତି ଭୂଷଣ ଚୌଧୁରୀ । ଅନ୍ୟ ପଟରେ ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ମୋକିମ ଏବେ ହାଇକୋର୍ଟ ଯିବା ପାଇଁ ପ୍ରସ୍ତୁତ ହେଉଥବା ଜଣା ପଡିଛି ।