ଭିଜିଲାନ୍ସ ଜାଲରେ ମେଡିକାଲ ସୁପାରିଟେଣ୍ଡେଣ୍ଟ, ଶିକ୍ଷକଙ୍କ ଦରମା କରାଇବାକୁ ନେଉଥିଲେ ଲାଞ୍ଚ

ଆନନ୍ଦପୁର : ଯୋଗ ଶିକ୍ଷକଙ୍କ ଦରମା କରାଇବାକୁ ମେଡିକାଲ ସୁପାରିଟେଣ୍ଡେଣ୍ଟ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ । ଘଟଣାକୁ ନେଇ ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ। ସୂଚନା ଅନୁଯାୟୀ ଅଳତୀ ଗାଁର ଦେବବ୍ରତ ସାହୁ ନାମକ ଜଣେ ଯୋଗ ଶିକ୍ଷକ ନିଜ ଦରମା କରାଇବାକୁ ପ୍ରତି ମାସ ଭଳି ଚଳିତ ମାସ ସାଇଁକୁଳ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ନିକଟକୁ ଆସିଥିଲେ ।

ଦେବବ୍ରତ ଗୋଟିଏ ଏନଜିଓ ସଂସ୍ଥା ଅଧୀନରେ ଯୋଗ ଶିକ୍ଷା ଦେଉଥିବା ବେଳେ ସେମାନଙ୍କ ଦରମା ନିମନ୍ତେ ବ୍ୟୟଅଟକଳ ପ୍ରଦାନ କରିଥାନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ । ତେବେ ଏହା କରିବା ପାଇଁ ସୁପରିଟେଣ୍ଡେଣ୍ଟ ରଞ୍ଜୀବ ରାଉତ କିଛି ଅର୍ଥ ଦାବି କରିଥିଲେ ।

ଦେବବ୍ରତ ଏସବୁ ଭିଜିଲାନ୍ସ ଟିମକୁ ଜଣାଇଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଦେବବ୍ରତ ଧାର୍ଯ୍ୟ ଅର୍ଥ ସୁପରିଟେଣ୍ଡେଣ୍ଟ ରଞ୍ଜୀବ ରାଉତଙ୍କୁ ଦେଉଥିବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରି ଅଧିକ ତଦନ୍ତ ପାଇଁ କେନ୍ଦୁଝର ନେଇ ଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ତାଙ୍କର ଯାଜପୁର ଘରେ ମଧ୍ୟ ଭିଜିଲାନ୍ସ ଟିମର ରେଡ ଚାଲୁଥିବା ସୂଚନା ମିଳିଛି।