ଯାଜପୁର(କେନ୍ୟୁଜ୍): ସ୍ୱାସ୍ଥ୍ୟ ହିଁ ସମ୍ପଦ। ଉତ୍ତମ ସ୍ୱାସ୍ଥ୍ୟ ରହିଲେ ସୁନ୍ଦର ସମାଜ ଗଠନ ସମ୍ଭବ। ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଯାଜପୁର ଜିଲ୍ଲା ଜାରକାର ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆୟୋଜନ କରିଆସୁଛି ମେଗା ସ୍ୱାସ୍ଥ୍ୟ ମେଳା। ଚଳିତ ବର୍ଷ ଏହା ଦଶ ବର୍ଷରେ ପହଞ୍ଚିଛି। ଏହି ଅବସରରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ମେଳାକୁ ଉଦଘାଟନ କରିଥିଲେ ଧର୍ମଶାଳା ବ୍ଲକ ଅଧକ୍ଷ ପ୍ରଭାତ କୁମାର ବଳବନ୍ତରାୟ।
ଟ୍ରଷ୍ଟର ସଭାପତି ବିଜୟ କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲା ବିଜେଡି ସାଧାରଣ ସଂପାଦକ ଡ଼. ପ୍ରିୟନାଥ ମହାପାତ୍ର, ପୂର୍ବତନ ବ୍ଲକ ଅଧକ୍ଷ ଜଳଧର ମହାନ୍ତି, ଅବସରପ୍ରାପ୍ତ ସିଡିଏମଓ ବିଜୟ କୁମାର ଶତପଥୀ, ରମେଶ ଚନ୍ଦ୍ର ସାହୁ, ଯୁବନେତା କ୍ଷୀତିଶ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟ୍ରଷ୍ଟର ସେବାମୂଳକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ମେଳାରେ ଭେଷଜ, ନାସା କର୍ଣ୍ଣ ଗଳା, ସ୍ତ୍ରୀ ଓ ପ୍ରସୂତି, ଶିଶୁ, ଚକ୍ଷୁ, ଅସ୍ଥି ଓ ଶଲ୍ୟ ଆଦି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରରେ ମୋଟ ୫୭୮ଜଣ ରୋଗୀଙ୍କ ନାମ ପଞ୍ଜିକୃତ କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏଥିସହ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା। ଟ୍ରଷ୍ଟର କର୍ମକର୍ତ୍ତା ଓ ସଦସ୍ୟମାନେ ଶିବିର ପରିଚାଳନାରେ ସହାୟତା କରିଥିଲେ।