କିଟ୍‍ ପକ୍ଷରୁ ଏକ ବିଶାଳ ନିଯୁକ୍ତି ମେଳା, ୪ ହଜାର ଛାତ୍ରଛାତ୍ରୀ କଲେ ପଞ୍ଜୀକରଣ

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସ୍‍ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିଆସୁଛନ୍ତି । ଏଥିପାଇଁ କିସ୍ ର ଜଣେ ପିଲା ନାମ ଲେଖାଇବା ପରେ ସେ ଉଚ୍ଚଶିକ୍ଷା ଲାଭ ସହ ହାତରେ ନିଯୁକ୍ତି ନେଇ ଯିବାର ବ୍ୟବସ୍ଥା ରହିଛି । ଏହି କ୍ରମରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସର୍ବଦା ଚେଷ୍ଟା ଜାରି ରଖିଛନ୍ତି ।

ପ୍ରତିବର୍ଷ କିସ୍‍ରୁ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ନିଯୁକ୍ତି ପାଇବାରେ ସଫଳ ହେଉଛନ୍ତି । ଚଳିତବର୍ଷ ମଧ୍ୟ କିସ୍‍ ପକ୍ଷରୁ ଏକ ବିଶାଳ ନିଯୁକ୍ତି ମେଳା ଆୟୋଜନ କରାଯାଇଛି । ଜାନୁଆରୀ ୧୯ ତାରିଖରେ ଏହି ନିଯୁକ୍ତି ମେଳା ଆୟୋଜନ ହେଉଛି । ଏଥିପାଇଁ ଆଜି କିସ୍‍ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଓରିଏଣ୍ଟେସନ୍‍ କାର୍ଯ୍ୟକ୍ରମ ଚାଲିଥିଲା ।

ଏଥିରେ କିସ୍‍ର ୪ହଜାର ପୁରାତନ ଛାତ୍ରଛାତ୍ରୀ ଯୋଗଦେବା ସହ ନିଯୁକ୍ତିମେଳା ପାଇଁ ପଞ୍ଜୀକରଣ କରିଛନ୍ତି । ଏହି ଅବସରରେ ସେମାନେ ନିଯୁକ୍ତି ପାଇଁ କିଭଳି ପ୍ରସ୍ତୁତ ହେବେ ଓ ସାକ୍ଷାତକାର କିଭଳି ଦେବେ ସେ ନେଇ ବିଶେଷଜ୍ଞଙ୍କମାନେ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଶ୍ରୀ ସାମନ୍ତ କହିଲେ, ସମସ୍ତେ ରୋଜଗାରକ୍ଷମ ହେବା ଆବଶ୍ୟକ । ଏଥିପାଇଁ ସେମାନେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ଚଳିତବର୍ଷ ନିଯୁକ୍ତିମେଳାକୁ ପ୍ରାୟ ଏକ ଶହ କମ୍ପାନୀଙ୍କୁ ଡକାଯାଇଛି । ସେମାନେ ୩ହଜାର ପିଲାଙ୍କୁ ନିଯୁକ୍ତି ସୁଯୋଗ ଦେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।