ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ସୁଆର ମହାସୁଆର ସଦସ୍ୟଙ୍କୁ ବାରଣ, ନ ମାନିଲେ ହେବେ ନିଲମ୍ବିତ

ପୁରୀ : ଶ୍ରୀମନ୍ଦିର ଚାରି ଦ୍ଵାର ସମେତ ଶ୍ରୀମନ୍ଦିର ପରିସରରେ ଥିବା ରୋଷ ଘର ସମ୍ମୁଖରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଲଗାଯାଇଛି ନିର୍ଦ୍ଦେଶନାମା। ସୁଆର ମହାସୁଆର ନିଯୋଗର ସଭ୍ୟ ଓ ରୋଷ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଲଗାଯାଇଛି । ଆସନ୍ତା ୩୦ ତାରିଖ ଅକ୍ଷୟ ତୃତୀୟା ଦିନ ପଶ୍ଚିମବଙ୍ଗର ଦୀଘାରେ ନିର୍ମାଣ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ହେବ ।
ସେହି ଦିନ ସେଠାରେ ରୋଷ କାର୍ଯ୍ୟରେ ସୁଆର ମହାସୁଆର ନିଯୋଗର କୌଣସି ସଦସ୍ୟଙ୍କ ସହ ତୁଣିଆ, ପାଣିଆ ଓ ଯୋଗାଣିଆ ଯୋଗ ଦେଲେ ନିଯୋଗ ନେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଚରମ ବାଣୀ ଶୁଣାଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ । ରୋଷ କାର୍ଯ୍ୟରେ ରନ୍ଧନ କିମ୍ବା ସାହାଯ୍ୟ କଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ବାସନ୍ଦ କରାଯିବ ।
କର୍ମଚାରୀମାନଙ୍କୁ ରୋଷ କାର୍ଯ୍ୟରୁ ସବୁଦିନ ପାଇଁ ନିଲମ୍ବିତ କରାଯିବ । ଏଭଳିକି ସେମାନଙ୍କ ପ୍ରାପ୍ୟ ବନ୍ଦ କରାଯିବା ସହ ରୋଷଘରକୁ ସଂପୂର୍ଣ୍ଣ ବାରଣ କରାଯିବ । ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗ ନିଆଯିବ ।