ମହଙ୍ଗା ପଡ଼ିଲା ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ଼, ଗିରଫ ହେଲେ ସମର୍ଥ ସଂସ୍ଥାର ପରିଚାଳକ ଓ ସହାୟିକା

ସମ୍ବଲପୁର : ମହଙ୍ଗା ପଡ଼ିଲା ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ଼ । ଭିଡିଓ ଭାଇରାଲ ହେବା ପରେ ସମ୍ବଲପୁର ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ ସମର୍ଥ ସଂସ୍ଥାର ପରିଚାଳକ ଓ ସହାୟିକା । ସମର୍ଥ ଏନଜିଓକୁ କଳାତାଲିକା ଭୁକ୍ତ କଲା ପ୍ରଶାସନ । ଗତକାଲି ସ୍ବେଚ୍ଛାସେବୀ ଅନୁଷ୍ଠାନରେ ମାନସିକ ରୋଗୀଙ୍କୁ ଅମାନୁଷିକ ନିର୍ଯାତନାର ଭିଡିଓ ପଦାକୁ ଆସିଥିଲା । ଏହାକୁ ଗମ୍ଭୀରତାର ସହ ନେଇ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛନ୍ତି ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ।

ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ୪ଜଣ ଅଧିକାରୀ ଘଟଣାର ତଦନ୍ତ କରିବେ । ସମର୍ଥରେ କେତେ ଜଣ ଥିଲେ ଓ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାର ତଦନ୍ତ ହେବ । ଆର୍ଥିକ କାରବାରର ମଧ୍ୟ ତଦନ୍ତ ହେବ । ଅଲଗା ଏନଜିଓକୁ ଦାୟିତ୍ବ ଦିଆଯିବା ନେଇ ସାମାଜିକ ସୁରକ୍ଷା ବିଭାଗର ଅଧିକାରୀଙ୍କ କାର୍ଯ୍ୟକଳାପର ମଧ୍ୟ ତଦନ୍ତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।  ସେପଟେ ଜିଲ୍ଲା ସାମାଜିକ ଅଧିକାରୀ କହିଛନ୍ତି, ସେଠାକାର ପରିସ୍ଥିତି ନେଇ ସରକାରଙ୍କୁ ଅବଗତ କରାଇଥିଲେ । ସମର୍ଥକୁ ବର୍ଷକୁ ୨୪ଲକ୍ଷ ଟଙ୍କା ସରକାରୀ ଅନୁଦାନ ମିଳୁଥିଲା ।