ଆଗାମୀ ୩ ଘଣ୍ଟାରେ ୩ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ: ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ): ଅଦିନିଆ ବର୍ଷାରେ ଭିଜୁଛି ସାରା ରାଜ୍ୟ। ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ବାୟୁମଣ୍ଡଳରେ ସକ୍ରିୟ ରହିଥିବାରୁ ବିକ୍ଷିପ୍ତ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ମଧ୍ୟ ହୋଇଛି। ଆଜି ୩ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୩ ଘଣ୍ଟା ପାଇଁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ। ୩ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
୧୪ ତାରିଖ ଯାଏ ରାଜ୍ୟରେ ଜାରି ରହିବ ବର୍ଷା। ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ବର୍ଷାର ପରିମାଣ ବୃଦ୍ଧି ପାଇବ। ମଧ୍ୟମ ଧରଣର ବର୍ଷା ସହ କୁଆପଥର ମାଡ଼ ପାଇଁ ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ୧୫ ତରିଖରେ କମିବ ବର୍ଷାର ପରିମାଣ। ୧୬ରୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଦାଉ ସାଧିଛି। ବର୍ଷା ଓ କୁଆପଥର ମାଡରେ ଫସଲ ନଷ୍ଟ ହେବା ସହ ମଣ୍ଡିରେ ଭିଜୁଛି ଧାନ। ରାଜ୍ୟରେ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି ।