ବ୍ରହ୍ମପୁର ସହରରେ ପୁଣି ଟାର୍ଗେଟରେ ସିନିଅର ସିଟିଜେନ୍‌: ଘରେ ଏକାକୀ ଥିବା ମହିଳାଙ୍କୁ ନିର୍ମମ ହତ୍ୟା

ବ୍ରହ୍ମପୁର(କେନ୍ୟୁଜ୍): ବିରଷ୍ଠ ନାଗରିକଙ୍କୁ ଅତି ର୍ନିମମ ଭାବେ ହତ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଉପକଣ୍ଠ ଅଳକାପୁରୀ ସପ୍ତମ ଲାଇନରେ । ବିଜୟ ବେହରା ଓ ତାଙ୍କ ପନ୍ନୀ ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳରେ ରହି ଆସୁଥିବା ବେଳେ ଗତ କାଲି ସଂଧ୍ୟାରେ କୌଣସି ଦୁର୍ବର୍ତ୍ତ ଘରେ ପଶି ବିଜୟଙ୍କ ସ୍ତ୍ରୀ ସୁରଜା ଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଗତ କାଲି ସଂଧ୍ୟାରେ ବିଜୟ କୌଣସି କାମରେ ବାହାରକୁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ସୁରଜା ଘରେ ଏକାକୀ ଥିଲେ । ସେ ଯେତେବେଳେ ଘରକୁ ଫେରିଥିଲେ ସେତେବେଳେ ଘର ବାହାରପଟୁ ତାଲା ପଡିଥିଲା ।

ପରେ ତାଙ୍କ ସ୍ତ୍ରୀଙ୍କ ନିକଟକୁ ବାରମ୍‌ୱାର ଫୋନ କରିଥିଲେ ସୁଦ୍ଧା ଫୋନ ନ ଉଠାଇବାରୁ ଘର ନିକଟରେ ରହୁଥିବା ତାଙ୍କ ଜ୍ୱାଇଁ ଓ ଭୁବନେଶ୍ୱରରେ ରହୁଥିବା ପୁଅକୁ ଫୋନ ଯୋଗ ଯୋଗାଯୋଗ କରିଥିଲେ । ବିଜୟ ଓ ତାଙ୍କ ଜ୍ୱାଇଁ ଘରର ତାଲା ଭାଙ୍ଗି ଘର ଭିତରକୁ ଯିବା ପରେ ସୁରଜାଙ୍କ ମୃତ ଦେହ ପଡିଥିବା ନେଇ ଦେଖିଥିଲେ । ଏନେଇ ସଦର ଥାନା ପୋଲିସକୁ ଖବର ଦେଇଥିଲେ । ସଦର ଥାନା ପୋଲିସ ରାତିରେ ପହଞ୍ଚି ତଦନ୍ତ କରିଥିଲା । ତେବେ ବିଜୟଙ୍କ ସହ କାହାରି ଶତ୍ରୁତା ନଥିବା ବେଳେ କିଏ ଓ କେଉଁ କାରଣ ଯୋଗୁଁ ଏଭଳି କାଣ୍ଡ କଲା ସେ ନେଇ କିଛି ଜଣାନଥିବା କହିଛନ୍ତି ମୃତ ସୁରଜାଙ୍କ ପୁଅ ।

ମହିଳାଙ୍କୁ ହତ୍ୟା ହୋଇଥିବା ଖବର ସଦର ଥାନା ପୋଲିସ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଆଜି ସକାଳୁ ବ୍ରହ୍ମପୁର ଏସପି, ଏଏସପି, ସଦର ଏସଡିପିଓଙ୍କ ସମେତ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଗତ କାଲି ସଂଧ୍ୟାରେ ମହିଳା ଜଣଙ୍କ ଘରେ ଥିବା ବେଳେ କେଉଁ ପରିସ୍ଥିତିରେ ଦୁର୍ବୃର୍ତ୍ତମାନେ କଣ ଉଦ୍ଦେଶ୍ଯ ନେଇ ଘରେ ପଶି ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ଘରର ବାହାରପଟୁ ତାଲା ପକାଇ ଫେରାର ହୋଇଥିଲେ ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଥିବା ବେଳେ ଘରୁ କୌଣସି ସାମଗ୍ରୀ ଚୋରୀ ହୋଇନଥିବା ମଧ୍ୟ ସ୍ସଷ୍ଟ ହୋଇଛି ।

ତେବେ ସମସ୍ତ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଜାରୀ ରହିଥିବା ନେଇ ବ୍ରହ୍ମପୁର ଏସପି ପିନାକ୍‌ ମିଶ୍ର ସୂଚନା ଦେଇଥିବା ବେଳେ ଅତିଶୀଘ୍ର ହତ୍ୟା କାଣ୍ଡର କାରଣ ଓ ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।  ଜଣେ ବରିଷ୍ଠ ମହିଳାଙ୍କୁ କଣ ପାଇଁ ଏଭଳି ର୍ନିମମ ହତ୍ୟା କରାଗଲା ସେ ନେଇ ପୋଲିସ ତଦନ୍ତ ପରେ ହିଁ  ସ୍ପଷ୍ଟ ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.