ସ୍କୁଲ ପିଲାଙ୍କ ପାଇଁ ଆସିଲା ଭଲ ଖବର, ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ସ୍କୁଲରେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର : ଓଡ଼ିଶା ସ୍କୁଲ ପିଲାଙ୍କ ପାଇଁ ଆସିଲା ଭଲ ଖବର । ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ସ୍କୁଲରେ ମଧ୍ୟାହ୍ନ ଭୋଜନ । ଏହି ନିୟମ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ଲାଗୁ ହେବ । ରାଜ୍ୟ ସରକାର ଏନେଇ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏପ୍ରିଲ ମାସରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପିଏମପୋଷଣର ନୋଡାଲ ଅଫିସରଙ୍କୁ ଚିଠି ଲେଖାଯାଇଛି । ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ମାଧ୍ୟମିକ ସ୍କୁଲଗୁଡିକରେ ଦିଆଯିବ ମଧ୍ୟାହ୍ନ ଭୋଜନ।
୨୦୨୫-୨୬ ଶିକ୍ଷା ବର୍ଷରୁ ଏହା ଦିଆଯିବ । ଛାତ୍ରଛାତ୍ରୀଙ୍କ ପୋଷଣ ସ୍ତର ବଢାଇବା ସହ ନାଁ ଲେଖା, ଉପସ୍ଥାପନା ବଢାଇବା ପାଇଁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ରନ୍ଧା ଖାଦ୍ୟ ଦିଆଯିବ। ଏଥିରେ ବାର୍ଷିକ ଖର୍ଚ୍ଚ ହେବ ୫୭୦ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ପୋଷଣା ଯୋଜନା ଅଧୀନରେ ବଜେଟରେ ବ୍ୟୟ ବରାଦ ହେବ। ଓଡ଼ିଶାରେ ୧୯୯୫ରୁ ମଧ୍ୟହ୍ନ ଭୋଜନ ଯୋଜନା ଲାଗୁ ହୋଇଥିଲା । ପ୍ରଥମେ ଏହା ପ୍ରାଥମିକ ସ୍କୁଲ ଅର୍ଥାତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଦିଆଯାଉଥିଲା। ଏପ୍ରିଲ ୨୦୦୮ରୁ ଏହି ଯୋଜନାରେ ସାମିଲ ହୋଇଥିଲା ନିମ୍ନ ମାଧ୍ୟମିକ ସ୍କୁଲ।
ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଦିଆଗଲା ମଧ୍ୟାହ୍ନ ଭୋଜନ। ସେପ୍ଟେମ୍ବର ମାସ ୨୦୨୧ରେ ଯୋଜନାର ନାଁ ବଦଳି ହୋଇଥିଲା ପିଏମ ପୋଷଣ। ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧିନରେ ଦିଆଯାଉଥିଲା ମଧ୍ୟାହ୍ନ ଭୋଜନ। ଆସନ୍ତା ଏପ୍ରିଲ ମାସରୁ ଏଥିରେ ସାମିଲ ହେବେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। ଅର୍ଥାତ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀର ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ।