ପୁଣି ଦାଦନ ଦୁଃଖ, ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କୁ ଦିଆଯାଇଛି ନିର୍ଯାତନା

ଘରେ ଚଳିବା ପାଇଁ ଆର୍ଥିକ ଅବସ୍ଥା କିଛି ଭଲ ନାହିଁ । ଦିନକୁ ଦୁଇ ଓଳି ଖାଇବାକୁ ମିଳିବା ତ ଦୂରର କଥା ଲଜ୍ଜା ଲୁଚାଇବାକୁ ଦେହରେ ନାହିଁ ଖଣ୍ଡେ ଭଲ କପଡ଼ା। ଏଇ ପେଟ ଚାଖଣ୍ଡକ ପାଇଁ ସବୁ ନାଟ । ଦାନା ଦି ମୁଠା ପାଇଁ ଗରିବମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ସତ । କିନ୍ତୁ ବେଳେବେଳେ ପରିସ୍ଥିତି ଏପରି ହୋଇପଡ଼ୁଛି ଯେ ନା ସେମାନେ ଘରକୁ ଫେରି ପାରନ୍ତି ନା ସେଠାରେ ରହି ଖଟି ପାରନ୍ତି । ଦାଦନ ସର୍ଦ୍ଦାରର ଜୁଲମ ଆଗରେ ହାର ମାନି ନିଅନ୍ତି ଏ ଗରିବ ଖଟିଖିଆ । ଏଇ ଦେଖୁନାହାଁନ୍ତି …ବୁଢ଼ା ବୟସରେ ମାଡ଼ ଖାଇ ଗାଲ ମୁଣ୍ଡରୁ ରକ୍ତ ବାହାରୁଥିବାର ଦେଖାଉଛନ୍ତି । କାହାର ଗାଲରେ ମାଡ଼ ବାଜିଛି ତ ଆଉ କାହାର ପିଠିରେ । ମାଡ଼ ଖାଇ ଜୀବନ ବଞ୍ଚାଇ ଫେରି ଆସିଛନ୍ତି ନିଜ ଗାଁ ମାଟି କୁ ।

ହଁ ଆଜ୍ଞା ଦିନକୁ ଦିନ ବଢ଼ି ଚାଲିଛି ଦାଦନ ଦୁଃଖ । ଦାଦନ ଯାଇ କାହାର ମୃତଦେହ ଫେରୁଛି ତ କିଏ ରୋଗୀ ହୋଇ ଫେରୁଛି । କିଛି ଲୋକ ଟଙ୍କା ପାଇଁ ବନ୍ଧା ପଡୁଛନ୍ତି । ପୁଣି ସାମ୍ନାକୁ ଆସିଛି ଦାଦନ ଦୁଃଖ । ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କୁ ମାଡ଼ ମାରିଲା ସର୍ଦ୍ଦାର । ୨୦ ଜଣ ଦାଦନ ଶ୍ରମିକଙ୍କୁ ମାଡ଼ ମାରି ଅକଥନୀୟ ନିର୍ଯାତନା ଅଭିଯୋଗ । ବାହାର ରାଜ୍ୟକୁ ଯାଇଥିବା ଏ ଦାଦନ ଶ୍ରମିକ କି କଷ୍ଟ ପାଇଛନ୍ତି ଥରେ ଶୁଣନ୍ତୁ ତାଙ୍କ ମୁହଁରୁ ..

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଅନେକେ ଗାଁର ଦାଦନ ଶ୍ରମିକ ମାନେ ନିର୍ଯାତିତ ହେଇଛନ୍ତି । ଏ ନେଇ ବେଲପଡା ବ୍ଲକ ର ତଅଁଳା ଗାଁ ର କିଛି ଶ୍ରମିକ କଣ୍ଟାବାଞ୍ଜି ରେଳବାଇ ଷ୍ଟେସନ ଆସିବା ପରେ ଜଣାପଡ଼ିଛି ଏମାନଙ୍କ ଦୁଃଖ। ଗତ କିଛି ମାସ ଆଗରୁ ଏହି ଶ୍ରମିକ ମାନେ ତେଲେଙ୍ଗନା ରାଜ୍ୟ ନରେନପଟା ଜିଲ୍ଲା ଅଞ୍ଚଳର ଏକ ଇଟା ଭାଟିକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଇଟା ଭାଟି ମାଲିକ ମାଡ଼ ମାରିବା ସହ ତଡି ଦେଇଥିବା ଅଭିଯୋଗ ହୋଇଛି ।

ପ୍ରାୟ ୨୦ ଜଣ ଶ୍ରମିକଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଶ୍ରମିକ ମାନଙ୍କ ଟଙ୍କା ଓ ମୋବାଇଲ ଲୁଟି ନେଇ ଗାଈ ଗୋରୁ ଭଳି ମାଡ଼ ମରାଯାଇଥିବା କହିଛନ୍ତି ଶ୍ରମିକ। ପ୍ରସାଶନ କୁ ଏସବୁ ଜଣା ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଶ୍ରମିକ କିନ୍ତୁ ହଇରାଣ ହୋଇଛନ୍ତି । ଶ୍ରମିକ ମାନେ କାନ୍ଦି କାନ୍ଦି କଷ୍ଟ ସହି କଣ୍ଟାବାଞ୍ଜି କୁ ଫେରି ଆସିଛୁ ବୋଲି କହିବା ସହ ନ୍ୟାୟ ଦାବି କରିଛନ୍ତି । ପେଟ ପାଟଣା ସହ ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ ବାହାର ରାଜ୍ୟକୁ ଦାଦନ ଖଟିବାକୁ । ହେଲେ ଏବେ ମାଡ଼ ଖାଇ ଲହୁ ଲୁହାଣ ହୋଇ ନିଜ ପିଲାଛୁଆକୁ ଧରି ନିଜ ଗାଁକୁ ଫେରିଆସିଛନ୍ତି ।

Also Read:ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ଜଣେ କର୍ମଚାରୀ ଗୁରୁତର