ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଆସିଲେଣି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ

ଟାଙ୍ଗୀ: ଉତ୍କଳ କମଳା ବିଳାସ ଦିର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା । ସତରେ ଏହି ଚିଲିକା ଆମର ଗର୍ବ ଓ ଗୌରବ । ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ ଚିଲିକା । ଏହାରି ମଧ୍ୟରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇ ଯାଉଛି ତାହା ହେଉଛି ମଙ୍ଗଳାଯୋଡି ଓ ନଳବଣ ପକ୍ଷୀ ଅଭୟରଣ୍ୟ । ଶୀତର ପହିଲି ସ୍ପର୍ଶରେ ହଜାର ହଜାର ମାଇଲ ଦୂରରୁ ରଙ୍ଗ ବେରଙ୍ଗର ପକ୍ଷୀ ଉଡି ଆସନ୍ତି ଚିଲିକା ବକ୍ଷକୁ । ଚଳିତ ବର୍ଷ ଡ଼ିସେମ୍ବର ମାସ ପ୍ରଥମ ସପ୍ତାହ ମଧ୍ୟରେ ଚିଲିକାକୁ ୪ଲକ୍ଷ ପକ୍ଷୀ ଗଣନା ଆସିଛନ୍ତି ।
ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ଶୀତର ପ୍ରକୋପ ହ୍ରାସ ଯୋଗୁଁ ପକ୍ଷୀଙ୍କ ଆଗମନରେ ବିଳମ୍ୱ ହେଉଥିବା ପରିଲକ୍ଷିତ ହେଉଛି । ଅନ୍ୟପଟେ ଚିଲିକା ପକ୍ଷୀ ଆମ ଅତିଥି ନାରାକୁ ସାକାର କରିବା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛି । ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାକୁ ସଂଲଗ୍ନ କରୁଥିବା ଚିଲିକା ଚାରିପାଖରେ ପକ୍ଷୀ ସୁରକ୍ଷା ପାଇଁ ୧୮ଟି ଜଳ ଭାଗରେ ଓ ୨ଗୋଟି ଚିଲିକା ଉପକୂଳ ସ୍ଥଳ ଭାଗରେ ଟିମ୍ ସଜାଗ ରହି ପକ୍ଷୀ ଶିକାରୀ ଓ ପକ୍ଷୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଡିଏଫଓ ସୂଚନା ଦେଇଛନ୍ତି ।
ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚିଲିକା ହ୍ରଦ । ଏଣୁ ମଙ୍ଗଳାଯୋଡି ପକ୍ଷୀ ଅଭୟରଣ୍ୟରେ ଧିରେ ଧିରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି । ଦେଶ ବିଦେଶର ପକ୍ଷୀ ଦେଖି ବହୁ ଖୁସି ଅନୁଭବ କରିବା ସହ, ସେଠାର ଥିବା ପାନୀୟ ଜଳ ଯୋଗାଣ, ଶୌଚାଳୟ ଓ ଏମିତି ଅନେକ ସମସ୍ୟାକୁ ଗୁରୁତ୍ବ ଦେବା ସହ ତାହାର ବିକାଶ ଦିଗରେ ବିଭାଗ ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି ।