ସତୀଚଉରା ଶ୍ମଶାନରେ ହେବ ମିହିରଙ୍କ ଶେଷକୃତ୍ୟ

କଟକ (କେନ୍ୟୁଜ୍) : ଓଲିଉଡ୍ର ବରିଷ୍ଠ ଅଭିନେତା ମିହିର ଦାସଙ୍କର ଆଜି କଟକ ସ୍ଥିତ ସତୀଚଉରା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ । ଏ ନେଇ ପରିବାର ତରଫରୁ ସୂଚନା ଦିଆଯାଇଛି । ସେ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିବା ପରେ ମରଶରୀରକୁ ସିଡିଏ ସ୍ଥିତ ତାଙ୍କ ବସଭାବନକୁ ନିଆଯାଇଛି । ଏଠାରେ ଶେଷ ଦର୍ଶନ ପାଇଁ ରଖାଯାଇଛି । ସେଠାରେ ନେତା, ଅଭିନେତା, ତାଙ୍କ ପ୍ରଶଂସକ ଓ ସାଧାରଣ ଜନତାଙ୍କ ଭିଡ଼ ଲାଗିଛି । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, ଜଣେ ବଢ଼ିଆ ଅଭିନେତା ଚାଲିଗଲେ ।
ଦୀର୍ଘ ଦିନ ହେବ ରୋଗାକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ଏହି ଲୋକପ୍ରିୟ କଳାକାର । ଆଜି ତାଙ୍କର ପରଲୋକ ହେବା ପରେ କେବଳ ଅଭିନୟ ଜଗତ ନୁହେଁ ସବୁ ମହଲରେ ଶୋକ ପ୍ରକାଶ ପାଇଛି । ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ମନ୍ତ୍ରୀ ଜ୍ୟେତି ପ୍ରକାଶ ପାଣିଗ୍ରାହୀ, କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ, ବିଧାୟକ ସୌଭିକ ବିଶ୍ୱାଳ, ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ମିହିରଙ୍କ ପାଇଁ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ଆସନ୍ତାକାଲି ସ୍ୱର୍ଗତ ମିହିର ଦାସଙ୍କୁ ଗାର୍ଡ଼ ଅଫ୍ ଅନର୍ ଦିଆଯିବା ପରେ ସତୀ ଚଉରା ଠାରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।