ମିହିର ଦାସ : ଆଉ କିଛି ଅକୁହା କଥା ଓ ଚିତ୍ର, ଖାସ୍ ଆପଣମାନଙ୍କ ପାଇଁ

ସିନେମା ଦେଖି ହଲ୍ରୁ ଫେରିବା ପରେ ଯିଏ ନିଜକୁ ନାୟକ ଭାବେ ଭାବି ନିଜକୁ ନିଜେ ଅଭିନୟ କରୁଥିଲେ । ପଞ୍ଚମ ଶ୍ରେଣୀରୁ ନାଟକରେ ଅଭିନୟ କଲେ । ନାଟକ ମଞ୍ଚରୁ ରୂପେଲି ପରଦାକୁ ଆସିବା ପାଇଁ ଅନେକ ଦିନ ଲାଗିଗଲା । ଆଉ ଯେତେବେଳେ ଆସିଲେ ସେତେବେଳେ ବି ବଡ଼ ରୋଲ୍ଟିଏ ପାଇବା ପାଇଁ ଖୁବ୍ ସଂଘର୍ଷ କଲେ, ଅପେକ୍ଷା କଲେ । ବୋଧହୁଏ ଏସବୁ କଥା କହିବାର ଅର୍ଥ ହେଉଛି ତାଙ୍କ ସଂଘର୍ଷ କିଛି କମ୍ ନଥିଲା । ହେଲେ ଏଇ ସଂଘର୍ଷ ହିଁ ତାଙ୍କ ଅଭିନୟକୁ ଆହୁରି ଶାଣିତ କରିଥିଲା । ଆଉ ପ୍ରାୟ ତିନି ପିଢ଼ି ସହ ସେ ଅଭିନୟ କରି ଚାଲିଲେ ନିରନ୍ତର ଭାବେ ।
କୁହାଯାଏ ଜଣେ କଳାକାରର କାମ ହେଉଛି କାହାଣୀ, ନିର୍ଦ୍ଦେଶକ ଏବଂ ସହକଳାକାରଙ୍କ ପ୍ରତି ବିଶ୍ୱସ୍ତ ହେବା। ଆଉ ତା ଜରିଆରେ ସେ ନିଜକୁ ନିଛକ ଭାବେ ପରଦା ଅବା ମଞ୍ଚରେ ପ୍ରତିଫଳିତ କରି ପାରେ । ଆଉ ଏସବୁ ଗୁଣ ଓ କଳା ଥିଲା ତାଙ୍କରି ପାଖରେ । ସେଇଥିଲାଗି ତ ସେ ଷ୍ଟାର ନୁହନ୍ତି ଜଣେ ଆର୍ଟିଷ୍ଟ । ସମସ୍ତଙ୍କର ପ୍ରିୟ ମିହିର ଭାଇ ।
ଯେଉଁ ଚରିତ୍ର ଦେଲେ ବି ସେ ତାକୁ ନିଛକ ଭାବେ ଫୁଟାଇଥାନ୍ତି । ଲାଗିବ ଏ ଲୋକଟି ଅଭିନୟ କରୁନି ନିଜେ ହିଁ ସେହି ବ୍ୟକ୍ତି । ଖାସ ଏଭଳି ଅଭିନୟ ପାଇଁ ସେ ସବୁ ବର୍ଗର ଦର୍ଶକଙ୍କୁ ଆପଣାଇ ପାରିଥିଲେ । ଦର୍ଶକଙ୍କ ଭଲ ପାଇବା ତାଙ୍କୁ ଏତେ ଭଲ ଲାଗିଥିଲା ଯେ ସେଇଥି ପାଇଁ ସେ କହିଥିଲେ ‘ଜୀବନଟା ଛୋଟ ହୋଇଗଲା, ବହୁତ କଥା ବାକି ଅଛି, ଅଳ୍ପ କିଛି ହେଲା । ଦର୍ଶକଙ୍କ ଠାରୁ ପ୍ରବଳ ଭଲ ପାଇବା ମିଳିଲା। ତେଣୁ ଆହୁରି କାମ କରିବାର ଲୋଭ ବଢ଼ିଗଲା। ହାତଗୋଡ଼ ଚାଲିଥିବା ଯାଏ ମୁଁ ଦର୍ଶକଙ୍କର’ । ଏକଥା ନିଜର ଶେଷ ସାକ୍ଷାତକାରରେ କେନ୍ୟୁଜ୍କୁ କହିଥିଲେ ମିହିର ଦାସ । କାରଣ ଦର୍ଶକଙ୍କ ପ୍ରଶଂସା ଓ ତାଳି ଯିଏ ପାଇଛି ସେ କଳାକାର ତା ଜୀବନରେ ଆଉ କିଛି ଚାହିଁ ନାହିଁ ।…ହେଲେ କଥାରେ ଅଛି ମଣିଷ ଯାହା ଚାହେଁ ଈଶ୍ୱର ତାହା କରାଇ ଦିଅନ୍ତି ନାହିଁ । ବୋଧହୁଏ ଦର୍ଶକଙ୍କ ଇଚ୍ଛାକୁ ବାକି ରଖି ତାଙ୍କୁ ନେଇଗଲେ ସବୁଦିନ ପାଇଁ ।
ଜଣେ ଭଲ ନିର୍ଦ୍ଦେଶକଙ୍କ ହାତରେ ଥିଲେ ଜଣେ ଭଲ ଅଭିନେତା । କାହାଣୀ ବି ସେମିତି ଦମଦାର ଥିଲା । ଆଉ ଟାଇଟଲ୍ ନାଁଟି ଅତି ଆପଣାର ଥିଲା ‘ମାଟି ବନ୍ଧନ’ । ସିନେମା କଲେ ପ୍ରସିଦ୍ଧ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ । ଏଥିରେ ଅଭିନୟ ପାଇଁ ବାଛିଥିଲେ ମିହିର ଦାସଙ୍କୁ । କାରଣ ସେହି ଚରିତ୍ର ପାଇଁ ତାଙ୍କୁ ଆଉ କେହି ଠିକ୍ ହେବେ ବୋଲି ମନକୁ ଆସିନଥିଲେ । ଆଉ ତାକୁ ନିଜ ନିଖୁଣ ଅଭିନୟ ଜରିଆରେ ସଠିକ୍ ବୋଲି ପ୍ରମାଣିତ କରିଦେଲେ ମିହିର ଦାସ । ଏକଦମ ଜୀବନ୍ତ ଅଭିନୟ ।
ତେବେ ଭଲ ସିନେମାଟି କୌଣସି କାରଣରୁ ରିଲିଜ୍ ହୋଇ ପାରିଲାନି । ଆଉ ଦର୍ଶକ ବଞ୍ଚିତ ହେଲେ ମିହିର ଦାସଙ୍କ ଆଉ ଏକ ଶ୍ରେଷ୍ଠ ଅଭିନୟକୁ ପରଦାରେ ଦେଖିବାରୁ । ନିଜେ ମିହିର ଦସେ ଅନେକ ଚେଷ୍ଟା କରିଥିଲେ ଫିଲ୍ମଟିକୁ ରିଲିଜ୍ କରିବା ପାଇଁ । ହେଲେ ଅଧୁରା ରହିଗଲା ତାଙ୍କ ସ୍ୱପ୍ନ । … ଆମେ ଆଜି ଆଣି ଦେଇଛୁ ସେଇ ସିନେମା ସୁଟିଂ ବେଳର କିଛି ସ୍ମୃତି ଖାସ୍ ଆପଣମାନଙ୍କ ପାଇଁ ।