ରାୟଗଡ଼ା: ଗରିବ ଲୋକଙ୍କ ମିଳୁନି ଖାଦ୍ୟ କିନ୍ତୁ ଗୋଦାମରେ ଖତ ଖାଉଛି ମାଣ୍ଡିଆ । ଗରିବ ପେଟକୁ ଆହାର ଦି ମୁଠା ମିଳୁନି କିନ୍ତୁ ମାସ ମାସ ଧରି ଗୋଦାମରେ ପଚି ସଢ଼ି ନଷ୍ଟ ହେଉଛି ମାଣ୍ଡିଆ । ଗରିବ ହିତାଧିକାରୀଙ୍କୁ ଆହାର ଯୋଗାଇବା ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । ଜିଲ୍ଲାର ସମସ୍ତ ଗାଁ ଠାରୁ ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ମୋଟ ୨୪୩ ଟି ପିଡିଏସ ବଣ୍ଟନ କେନ୍ଦ୍ର ରହିଛି । ଲୋକଙ୍କୁ ଚାଉଳ ସହ ମାଣ୍ଡିଆ ଦେବାର ବ୍ୟବସ୍ଥା ମଧ୍ୟ ରହିଛି । ହେଲେ ସମସ୍ତ ଚାଉଳ ବଣ୍ଟନ କେନ୍ଦ୍ରରେ ଥିବା ଗୋଦାମରେ ମାଣ୍ଡିଆ ଶଢୁଥିବା ନଜରକୁ ଆସିଛି ।
ହିତାଧିକାରୀଙ୍କ ପାଇଁ ଆସିଥିବା ମାଣ୍ଡିଆ ସେମିତି ଗୋଦାମରେ ପଡ଼ି ଖତ ଖାଉଛି । ଏପଟେ ଡିଲରଙ୍କୁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ସମସ୍ତ ଗୋଦାମରେ ମାସ ମାସ ଧରି ମାଣ୍ଡିଆ ଗଚ୍ଛିତ ରହିଥିବା ଯୋଗୁଁ ଚାଉଳ ରଖିବାରେ ସମସ୍ୟା ଦେଖା ଦେଇଛି ଏବଂ ବଣ୍ଟନରେ ମଧ୍ୟ ବିଳମ୍ବ ଘଟୁଛି । ଯେଉଁଥିପାଇଁ ହିତାଧିକାରୀଙ୍କୁ ମାଣ୍ଡିଆ ତ ମିଳୁ ନାହିଁ ଚାଉଳ ନେବାରେ ମଧ୍ୟ ସମସ୍ୟା ହେଉଛି ।
ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ଓ କେନ୍ଦ୍ରର ଜିଲ୍ଲାରେ ମୋଟ ୨୪୩ କେନ୍ଦ୍ରରେ ୮ ଲକ୍ଷ ୪୧ ହଜାର ୧୨୬ ଜଣ ହିତାଧିକାରୀ ରହିଛନ୍ତି । ଏହି ହିତାଧିକାରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ୫୫ ହଜାର ୨୦୦ ବସ୍ତା ଅର୍ଥାତ ୨୭ ହଜାର ୬୦୦ କ୍ୱିଣ୍ଟାଲ ମାଣ୍ଡିଆ ବଣ୍ଟନ ପାଇଁ ଦିଆଯାଇଛି । ଏହି ମାଣ୍ଡିଆ ଗତ ବର୍ଷ ଡିସେମ୍ବର ମାସରୁ ସମସ୍ତ ବଣ୍ଟନ କେନ୍ଦ୍ରର ଗୋଦାମରେ ରହି ଖତ ଖାଉଛି । କିନ୍ତୁ ଦୀର୍ଘ ୮ ମାସ ହେବ କୌଣସି ଗୋଟିଏ ବି ହିତାଧିକାରୀଙ୍କୁ ମୁଠାଏ ମାଣ୍ଡିଆ ଦିଆନଯାଇ ଗୋଦାମରେ ପଡ଼ିରହିଛି । ଏତେ ଦିନ ହେବ ମାଣ୍ଡିଆ ଗଚ୍ଛିତ ଥିବା ଫଳରେ ତାହାର ମାନ ହ୍ରାସ ହେବାରେ ଲାଗିଲାଣି । କାରଣ ଯାହା ବି ହେଉନା କାହିଁକି ଗରିବ ଲୋକମାନଙ୍କୁ ମାଣ୍ଡିଆ ବଣ୍ଟନରେ ବିଳମ୍ବ ହେଉଛି । ଇଆଡ଼େ ହିତାଧିକାରୀ ମାଣ୍ଡିଆ ଅପେକ୍ଷାରେ ରହିଛନ୍ତି ।