ନାଲି ବତୀ ଗାଡି ଛାଡି ବସରେ ଯାତ୍ରା କଲେ ମନ୍ତ୍ରୀ ଓ ବିଧାୟକ, ଲୋକଙ୍କ ଠାରୁ ସାଉଁଣ୍ଟୁଛନ୍ତି ପ୍ରଶଂସା

ସମସ୍ତେ କୁହନ୍ତି ମଣିଷ କିଛି ପଦ ପଦବୀ ପାଇଲା ପରେ ବଦଳି ଯାଆନ୍ତି, କିନ୍ତୁ ଦୁଇ ନେତାଙ୍କ ଠାରେ ଦେଖିବାକୁ ମିଳିଛି ଭିନ୍ନ ପରିସ୍ଥିତି । ମନ୍ତ୍ରୀ ପଦ ହାସଲ ପରେ ସବୁ ମନ୍ତ୍ରୀମାନେ ନିଜ ଗାଡ଼ିରେ ହିଁ ଯାତ୍ରା କରନ୍ତି । କିନ୍ତୁ ଦୁଇ ମନ୍ତ୍ରୀ ବଡ଼ ବଡ଼ ଗାଡ଼ି ନୁହେଁ ସାଧାରଣ ଲୋକଙ୍କ ଭଳି ବସରେ ଯାତ୍ରା କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାର ଦୁଇ ନେତାଙ୍କ ସାଧାରଣ ଜୀବନ ଚର୍ଯ୍ୟା ଏବେ ସମସ୍ତଙ୍କୁ ଚକିତ କରିଛି । ମନ୍ତ୍ରୀମାନେ ଆସିଲେ ତାଙ୍କ ନାଲି ବତୀ ଗାଡି ସହ କାର ଗୁଡିକର ଲମ୍ବା ଧାଡି ଆପଣମାନେ ନିଶ୍ଚିତ ଦେଖିଥିବେ । ହେଲେ ଦୁଇ ଜଣ ମନ୍ତ୍ରୀ କିନ୍ତୁ ନାଲି ବତୀ ଗାଡି ଛାଡି ଜଣେ ସାଧାରଣ ମଣିଷ ଭଳି ବସରେ ଭୁବନେଶ୍ୱରରୁ ନବରଙ୍ଗପୁରକୁ ଆସିଛନ୍ତି । ଉମରକୋଟ ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଏବଂ ଗଣ ଶିକ୍ଷା,ଏସଟି ଏବଂ ଏସସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ଵିଭାଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଜିଲ୍ଲାର ଦୁଇ ନେତା । କିନ୍ତୁ ଏମାନଙ୍କ ଚଳଣୀ ପୂରା ସାଧାସିଧା ।

ସୂଚନା ଥାଉକି ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର ତେଣୁ ବସରେ ଭୁବନେଶ୍ୱରରୁ ନବରଙ୍ଗପୁର ଫେରିଛନ୍ତି ଏଇ  ଦୁଇ ନେତା । ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଅଛନ୍ତି ଏହି ଦୁଇ ମନ୍ତ୍ରୀ । ମନ୍ତ୍ରୀଙ୍କୁ ବସରେ ଯାଉଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଇଥିଲେ । ତେବେ ମନ୍ତ୍ରୀ ଦୀର୍ଘ ୬୦୦ କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତାକୁ ବସରେ ଅତିକ୍ରମ କରି ନବରଙ୍ଗପୁରରେ ପହଞ୍ଚିଛନ୍ତି । ଯାତ୍ରା ସମୟରେ ସମସ୍ତଙ୍କ ସହ କଥାବାର୍ତ୍ତା ହୋଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ ମନ୍ତ୍ରୀ । ଯାତ୍ରୀମାନଙ୍କ ସହ ରାତ୍ରି ଭୋଜନ କରି ଆଜି ସକାଳେ ନବରଙ୍ଗପୁରରେ ପହଞ୍ଚିଛନ୍ତି । ଆମେ ଜନତାଙ୍କ ସେବକ ଆମେ ସେବା କରିବାର ସୌଭାଗ୍ୟ ପାଇଛୁ ବସରେ ସମସ୍ତେ ଆସୁଛନ୍ତି ତ ଆମେ ବି ଆସିଲୁ ବୋଲି କହିଥିଲେ ମନ୍ତ୍ରୀ ଏବଂ ବିଧାୟକ ।

ଜଣେ କ୍ୟାବିନେଟ ମନ୍ତ୍ରୀ ପୁଣି ତିନି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଯେ ଏତେ ସରଳ ଆଉ ସାଧାରଣ ନିରାଡ଼ମ୍ବର ଜୀବନ ଯାପନ କରନ୍ତି ତାହା ବିଶ୍ବାସ କରି ହେଉନି । ଏପଟେ ଯାତ୍ରା ସମୟରେ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିବାରୁ ସମସ୍ତ ଯାତ୍ରୀମାନେ ମନ୍ତ୍ରୀ ଆଉ ବିଧାୟକଙ୍କର ଭୁୟସୀ ପ୍ରଶଂସା କରିଛନ୍ତି ।

 

 

 

You might also like