ଶନିଙ୍କ ଜଳାଭିଷେକ ବେଳେ ଅଘଟଣ: ପୋଖରୀରେ ବୁଡି ଚାଲିଗଲା ନାବାଳକର ଜୀବନ

ପଟ୍ଟାମୁଣ୍ଡାଇ: କାନ୍ଦି କାନ୍ଦି ନିଜକୁ ସମ୍ଭାଳି ପାରୁନି ଏ ମାଆଟି । କେମିତି ବା ଧାର୍ଯ୍ୟ ଧରିବ, ତା କୋଳ ଆଜି ଖାଲି ପଡିଛି । ଏମିତି କେମିତି ଏତେ ବଡ ଅଘଟଣ ଘଟିଗଲା ସେ କିଛି ବି ବୁଝିପାରୁନାହିଁ । ବାପା ମାଆଙ୍କର ଗୋଟିଏ ବୋଲି ପୁଅ । ଭାରି ଗେଲବସରରେ ବଡ କରୁଥିଲେ ତାକୁ । ହେଲେ ଏମିତି ସେ ଅକାଳରେ ଆଖି ବୁଜିଦବ କେହି କଳ୍ପନାରେ ସୁଦ୍ଧା ଭାବିପାରୁନାହାନ୍ତି ।
ପ୍ରତିବର୍ଷ ଅକ୍ଷୟ ତୃତୀୟା ପରେ ପଡୁଥିବା ପ୍ରଥମ ଶନିବାର ଦିନ ପାଳିତ ହୁଏ ଗ୍ରହରାଜ ଶନିଦେବଙ୍କ ପବିତ୍ର ଜନ୍ମୋତ୍ସବ । ଏହି ଅବସରରେ ଗତକାଲି ଶନିବାର ଶନିଦେବଙ୍କ ଜନ୍ମୋତ୍ସବ ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ବିଭିନ୍ନ ଶନି ମନ୍ଦିର । ସବୁଠି ଚାଲିଥିଲା କଳସ ଯାତ୍ରା । ଲକ୍ଷାଧିକ ଶ୍ରଦ୍ଧାଳୁ ଶନି ଦେବଙ୍କ ଉପରେ ଜଳାଭିଷେକ କରିଥିଲେ । ଏଇ ଅବସରରେ ଶନି ମହାରାଜଙ୍କ ପୂଜା ଚାଲିଥିଲା ବେଳେ ଘଟିଗଲା ବଡ ଅଘଟଣ ।
ଶନିଙ୍କ ମୁଣ୍ଡରେ ପାଣି ଢ଼ାଳିବା ପାଇଁ ପାଣି ଆଣିବାକୁ ପୋଖରୀ ଯାଇ ଆଉ ଫେରିନଥିଲା ଏଇ ମାଆର ପୁଅ । ବହୁ ଖୋଜାଖୋଜି ପାରେ ଶେଷରେ ପୋଖରୀରୁ ମିଳିଥିଲା ତାର ମୃତଦେହ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ନାଉଢିଅ ଗ୍ରାମରେ । ଯାହା ଖବର ମିଳିଛି, ନାଉଢିଅ ଗ୍ରାମର ଶନି ମନ୍ଦିରରେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳସ ବୁଡାଇବା ପାଇଁ ଲାଗିଥିଲା ଭକ୍ତଙ୍କ ଭିଡ଼ । ଆଉ ଏହି ସମୟରେ ପୋଖରୀରୁ ପାଣି ଉଠାଉଥିବା ବେଳେ ଘଟିଥିଲା ଅଘଟଣ ।
ନାବାଳକ ପ୍ରଭୁପାଦ ନିଜ ମାଆଙ୍କ ସହିତ ପୋଖରୀରୁ ପାଣି ଆଣି ଥରେ ଶନିଙ୍କ ମୁଣ୍ଡରେ ଢାଳିଥିଲା ପାଣି । ଏହାପରେ ପୁଣି ଥରେ ପାଣି ଆଣିବାକୁ ଯାଇ ଆଉ ଫେରିନଥିଲା । ପ୍ରଭୁପାଦକୁ ବହୁ ସମୟ ଧରି ଅପେକ୍ଷା କରିବା ପରେ ମାଆ ଏଣେତେଣେ ବହୁତ ଖୋଜିବାକୁ ଲାଗିଲେ । ହେଲେ କେଉଁଠୁ ବି ପ୍ରଭୁପାଦକୁ ପାଇନଥିଲେ । ଶେଷରେ ପୋଖରୀ ଭିତରେ ଭିଡ଼ ଲାଗିଥିବା ବେଳେ କିଛି ଲୋକଙ୍କ ପାଦ ଏକ ମଣିଷ ଶରୀରରେ ବାଜିଲା ଭଳି ଲାଗିଥିଲା । କଣ ବୋଲି ଦେଖିଲା ବେଳକୁ ସେ ଥିଲା ନାବଳକ ପ୍ରଭୁପାଦ ।
ତୁରନ୍ତ ପ୍ରଭୁପାଦକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପଟ୍ଟାମୁଣ୍ଡାଇ ମେଡ଼ିକାଲରେ ଭର୍ତି କରିଥିଲେ । କିନ୍ତୁ ସେତେବେଳକୁ ସବୁ ସରି ସାରିଥିଲା । ଡାକ୍ତର ପ୍ରଭୁପାଦକୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାର ହେବାପରେ ମେଡିକାଲ ପରିସରରେ ଖେଳିଯାଇଥିଲା ଶୋକାକୁଳ ପରିବେଶ । କଅଁଳ ବୟସରେ କୁନି ପିଲାଟିକୁ ହରାଇ ପରିବାର ଲୋକଙ୍କୁଠୁ ଆରମ୍ଭ କରି ସମଗ୍ର ଗାଁ ଏବେ ଦୁଃଖରେ ଭାଙ୍ଗିପଡିଛି ।
ସେପଟେ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ହେ ଭଗବାନ କଣ ଘଟିଗଲା ! ଏ କି ନିଷ୍ପତ୍ତି ତୁମର ପ୍ରଭୁ ! ଏମିତି କଣ କାହାର ଜୀବନ ଚାଲିଯାଏ? ମାଆ ସହିତ କେତେ ଖୁସିରେ ଶନିଦେବଙ୍କ ଉପରେ ଜଳାଭିଷେକ କରିବା ପାଇଁ ଯାଇଥିଲା କୁନି ପୁଅ ପ୍ରଭୁପାଦ, ହେଲେ ବିଧିର ଲେଖା କିଛି ଅଲଗା ଥିଲା । ପୋଖରୀରେ ବୁଡି ଚାଲିଗଲା ତା ଜୀବନ ।
ଆହୁରି ପଢନ୍ତୁ: ଗାଡି ଭିତରୁ ଚାଳକଙ୍କ ମୃତ ଦେହ ଉଦ୍ଧାର, ଘଟଣା ସ୍ଥଳରେ ପହଞ୍ଚିଲା ପୋଲିସ