ବାଇକରୁ ଖସି ପଡିଲା କୁନି ଝିଅ, ଚଢି ଗଲା ଟ୍ରକ
କଟକ : ନୂଆବର୍ଷରେ ଅଘଟଣ । ଯୋବ୍ରା ବ୍ୟାରେଜ୍ ନିକଟରେ ବାଇକ୍କୁ ଏକ ହାଇୱା ଧକ୍କା ଦେଇଛି । ମଉସା ସହ କୁନି ଝିଅ ଯାଉଥିବା ବାଇକ୍କୁ ହାଇୱା ଧକ୍କା ଦେବା ପରେ କୁନି ଝିଅ ବାଇକ୍ରୁ ଖସି ପଡିଥିଲା । ଏହାପରେ କୁନି ଝିଅ ଉପରେ ହାଇୱା ଚଢି ଯାଇଥିଲା । ମଉସାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଅଟକ ରଖିଛି ମାଲଗୋଦାମ ପୋଲିସ ।
ସୂଚନା ଅନୁସାରେ ଆଜି ନୂଆବର୍ଷ ହୋଇଥିବା ବେଳେ ନିଜ ମଉସାଙ୍କ ସହ ବାଇକ୍ରେ ଖୁସି ମନରେ ବୁଲି ବାହାରିଥିଲା କୁନି ଝିଅଟି । ମାତ୍ର ଯୋବ୍ରା ବ୍ୟାରେଜ ନିକଟରେ ତାଙ୍କ ବାଇକ୍କୁ ଏକ ହାଇୱା ଧକ୍କା ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ଉଭୟ ମଉସା, ଝିଆରୀ ତଳେ ପଡ଼ି ଯାଇଥିବା ବେଳେ କୁନି ଝିଅଟି ଉପରେ ମାଡ଼ି ଯାଇଛି ହାଇୱା । ଫଳରେ ଘଟଣାସ୍ଥଳରେ ପିଲାଟିର ମୃତ୍ୟୁ ହୋଇଥିବା ବେଳେ ତା’ ମଉସା ଗୁରୁତର ହୋଇ ପଡ଼ିଛନ୍ତି । ତାଙ୍କୁ ତୁରନ୍ତ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।