ପ୍ରେମ ପାଇଁ ପରିବାର ଲୋକଙ୍କୁ ନିଶା ଦେଇ ଫେରାର ଘଟଣା, ଗୁରୁତର ଅବସ୍ଥାରେ ଦୁଇ ଶିଶୁ କଟକ ସ୍ଥାନାନ୍ତର

ଯାଜପୁର : ପ୍ରେମରେ ଉବୁଟୁବୁ ନାବାଳିକାର ଉନ୍ମତ୍ତକାଣ୍ଡ । ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଯାଇଛି ନାବାଳିକା । ଯାଜପୁର ଯଯାତି କେଶରୀ ଭେଷଜ ଚିକିତ୍ସାଳୟରେ ପରିବାରର ବାପା ମାଙ୍କ ସମେତ ୫ଜଣ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଦୁଇ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁର ବିଜୟ ସେଠୀଙ୍କ ୧୪ବର୍ଷର ନାବାଳିକା ଝିଅ ଖାଦ୍ୟରେ ନିଶା ଔଷଧ ଦେଇ ନିଜ ପ୍ରେମିକ ସହ ଘରୁ ପଳାଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି । ଫଳରେ ସେହି ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର ୫ଜଣ ସଦସ୍ୟ ଗୁରୁତର ଅସୁସ୍ଥ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବାରୁ ଏଯାଏ ପୋଲିସରେ ଲିଖିତ ଅଭିଯୋଗ ହୋଇ ପାରିନାହିଁ । ନାବାଳିକା ଜଣଙ୍କ ଦାନଗଦି ବ୍ଲକ ମାନପୁର ଅଞ୍ଚଳର ନିଜ ପ୍ରେମିକ ତଥା ଦୂର ସମ୍ପର୍କୀୟ ଦୀପକ ସେଠୀଙ୍କ ପ୍ରଲୋଚନା ରେ ଆସି ଏଭଳି କାଣ୍ଡ କରି ଫେରାର ହୋଇଯାଇଥିବା ନାବାଳିକାର ବାପା ବିଜୟ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଏହି ନାବାଳିକା ଜଣକ ସଂପୃକ୍ତ ଯୁବକ ସହିତ ପୂର୍ବରୁ ଥରେ ଫେରାର ‌ହୋଇଯାଇଥିଲା । ତାକୁ ଉଦ୍ଧାର କରି ଘରକୁ ଫେରାଇ ଅଣାଯାଇଥିଲା ।  ପରିବାର ଲୋକ ଅନ୍ୟତ୍ର ବାହାଘର ପାଇଁ ସୁନା ଅଳଙ୍କାର ଓ ଅର୍ଥ ଯୋଗାଡ଼ କରି ରଖିଥିବା ବେ‌ଳେ ନାବାଳିକା ଏଭଳି କାଣ୍ଡ କରିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

 

ଆହୁରି ପଢନ୍ତୁ :  ନିର୍ବନ୍ଧ ପରେ କନ୍ୟାକୁ ବିଷ, ବିଷ ପିଆଇଲା ଭାବି ସ୍ୱାମୀର ପୂର୍ବତନ ପ୍ରେମିକା