ପରିବାର ଲୋକଙ୍କୁ ନିଶାଦେଇ ଘରୁ ନାବାଳିକା ଫେରାର, ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି

ଯାଜପୁର ଟାଉନ : ଯୁବକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଯାଇଛି ନାବାଳିକା । ପରିବାର ଲୋକେ ଯାଜପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଚିକିତ୍ସାଧୀନ ଥିବା ବାପା ମାଙ୍କ ସମେତ ୫ ଜଣ ପରିବାର ସଦସ୍ୟଙ୍କ ଅବସ୍ଥା ଗୁରୁତର ।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁର ଜଣେ ୧୪ ବର୍ଷର ନାବାଳିକା ଝିଅ ଖାଦ୍ୟରେ ନିଶା ଔଷଧ ଦେଇ ଘରୁ ପଳାଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି । ଫଳରେ ସେହି ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର ୫ ଜଣ ସଦସ୍ୟ ଗୁରୁତର ଅସୁସ୍ଥ ହୋଇ ଯାଜପୁର ଯଯାତି କେଶରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ନାବାଳିକା ଜଣକ ଘରୁ ଯିବା ବେଳେ ସୁନା ଗହଣା ନେଇ ଯାଇଥିବା ଅଭିଯୋଗ ହୋଇଛି । ତେବେ କେଉଁ ପରିସ୍ଥିତିରେ କାହିଁକି ନାବାଳିକା ଜଣକ ଘରୁ ଗଲା ଜଣାପଡ଼ିନାହିଁ ।