ଅଳ୍ପ ବୟସରେ ପ୍ରେମ କରି ବାହାଘର ସ୍ଥିର କରିବା ମହଙ୍ଗା ପଡିଲା, ନାବାଳିକା ଗଲା ଚାଇଲ୍ଡ କେୟାର ସେଣ୍ଟର

କଣିଁହା: ପାଠ ପଢା ବୟସରେ ପ୍ରେମ । ଏକଥା ଆଜିକା ସମୟରେ କିଛି ନୂଆ ନୁହେଁ । ପ୍ରେମର ପ୍ରକୃତ ଅର୍ଥ ବୁଝି ନଥିବା ପିଲାମାନେ ପ୍ରେମ ପାଇଁ ନିଜ ଘର ପରିବାର ଛାଡି ଛୁ ମାରୁଛନ୍ତି । ଆଉ ତାପରେ ଘଟୁଛି ଅନେକ ଅଘଟଣ । ତେବେ ଏଭଳି ଏକ ଘଟଣା ଘଟିବା ପୂର୍ବରୁ ତାକୁ ରୋକିଛି ପ୍ରଶାସନ । ଅଳ୍ପ ବୟସରେ ପ୍ରେମ କରି ବାହାଘର ସ୍ଥିର କରିବା ମହଙ୍ଗା ପଡିଲା । ଏବେ ଶାଶୁ ଘର ଯିବା ବଦଳରେ ନାବାଳିକା ଗଲା ଚାଇଲ୍ଡ କେୟାର ସେଣ୍ଟର ।

ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ଗଣ୍ଡମାଳା ଗ୍ରାମପଞ୍ଚାୟତ କୁଲାବୀର ଗାଁର ଘଟଣା । ଏହି ଗାଁର ନାବାଳିକା ସହିତ ନାବାଳକର ପ୍ରେମ କାହାଣୀ ଏବେ ସବୁଠି ଚର୍ଚ୍ଚାରେ । ସରକାରଙ୍କ ତରଫରୁ ବିବାହର ନିଦ୍ଦିଁଷ୍ଟ ବୟସ ନିର୍ଦ୍ଧାରଣ ହୋଇଥିବା ବେଳେ ପରିବାର କୁଆଡେ ସବୁ ଜାଣି ମଧ୍ୟ ଘଟଣାକୁ ଘଣ୍ଟ ଘୋଡାଇ ରଖିଥିବା ଅଭିଯୋଗ ହୋଇଛି । ଯାହା ସୂଚନା ମିଳିଛି କି, କୁଲାବୀର ଗ୍ରାମର ଶୁକୁରୁ ବେହେରାଙ୍କ ୧୭ ବର୍ଷର ପୁଅ ଓ ସେହି ଗାଁର ଟୁକୁ ବେହେରାଙ୍କ ୧୫ ବର୍ଷର ଝିଅ ପରସ୍ପରକୁ ଭଲ ପାଉଥିଲେ ।

ଗତ ମାର୍ଚ୍ଚ ମାସ ୧୫ ତାରିଖ ହୋଲି ଦିନ କୁଲାବୀର ଗାଁରେ ଦୋଳଯାତ୍ରା ଚାଲିଥିବା ବେଳେ ନାବଳକ ପ୍ରେମିକ ନିଜ ଘରକୁ ତା ନାବାଳିକା ପ୍ରେମିକାକୁ ନେଇ ଆସିଥିଲା । କିନ୍ତୁ ଉଭୟ ବିବାହ କରି ନଥିଲେ । ଧୀରେ ଧୀରେ ଏହି ଘଟଣା ଗାଁରେ ପ୍ରଘଟ ହେବା ପରେ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ଗ୍ରାମବାସୀ ଉଭୟଙ୍କ ବାପାମାଆଙ୍କୁ ଡକାଇ ଥିଲେ । ପୁଅ ଝିଅଙ୍କ ବିବାହ ବୟସ ହୋଇ ନଥିବାରୁ ବୁଝାସୁଝା କରି ନିଜ ନିଜର ଘରକୁ ପଠାଇ ଦିଆଯାଇଥିଲା । ପ୍ରାପ୍ତ ବୟସ୍କ ହେବା ପର୍ଯ୍ୟନ୍ତ ସେମାନେ ନିଜ ନିଜ ଘରେ ରହିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା ଅଙ୍ଗନବାଡ଼ି କର୍ମୀ ଏକ ଚୁକ୍ତିନାମା ଲେଖି ଦସ୍ତଖତ ମଧ୍ୟ କରି ରଖିଥିଲେ ।

ତେବେ କୌଣସି ପ୍ରକାର ଏହି ଖବର ଅନୁଗୁଳ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା । ସୂଚନା ମିଳିଥିଲା କି ଏହି ନାବାଳକ ପ୍ରେମୀ ଯୁଗଳଙ୍କର ବିବାହ ହୋଇ ସାରିଛଇ । ଜିଲ୍ଲାପାଳ ଚାଇଲ୍ଡ ହେଲ୍ପଲାଇନକୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ । ନିର୍ଦ୍ଦେଶ ଅନୁଯାୟୀ ଚାଇଲ୍ଡ ହେଲ୍ପଲାଇନ ରେଙ୍ଗାଳି ଥାନା ପୋଲିସ୍ ସହ ଉଭୟ ପରିବାରଙ୍କ ଘରେ ପହଞ୍ଚିଥିଲେ । ତେବେ ପୁଅ ଓ ଝିଅ ନିଜ ନିଜର ଘରେ ରହୁଥିବାର ଦେଖିବାକୁ ପାଇଥିଲେ ।

ସେମାନଙ୍କର ବିବାହ ହୋଇ ନଥିବା ପରିବାର ଲୋକେ ଜୋର୍ ଦେଇ କହିଥିଲେ । ଏହା ସତ୍ତ୍ବେ ଗ୍ରାମବାସୀ ଏବଂ ପରିବାର ଲୋକ କଥା ଲୁଚାଉଛନ୍ତି ବୋଲି ଅଭିଯୋଗ କରି ନାବାଳିକାକୁ ଅନୁଗୁଳ ସ୍ଥିତ ଚାଇଲ୍ଡ କେୟାର ସେଣ୍ଟରକୁ ନିଆ ଯାଇଥିବା ସୂଚନା ମିଳିଛି । ଏମାନଙ୍କର ବିବାହ ହୋଇଛି କି ନାହିଁ ତାର କୌଣସି ପ୍ରମାଣ ମିଳି ନାହିଁ । ତଥାପି ଚାଇଲଡ୍ ଲାଇନ୍ ଓ ପ୍ରଶାସନ ଏନେଇ ପୁଂଖାନୁପୁଂଖ ତଦନ୍ତ କରି ପଦକ୍ଷେପ ନେବା ଉଚିତ ।

ଆହୁରି ପଢନ୍ତୁ: ନକଲି ଅପମିଶ୍ରିତ ଡିଟରଜେଣ୍ଟ ପାଉଡର ଜବତ, ଦୁଇ ମାଲିକଙ୍କ ସମେତ କର୍ମଚାରୀଙ୍କୁ ମିଶାଇ ୫ ଅଟକ