ନାବାଳିକାକୁ ଦୁଷ୍କର୍ମ ମାମଲାର ଶୁଣାଣି, ଜେଲଦଣ୍ଡ ସହ ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର ପୋକସୋ କୋର୍ଟ

କଟକ : ୧୧ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ମାମଲାର ଶୁଣାଣି କରି କଟକ ସ୍ଵତନ୍ତ୍ର ପୋକ୍‌ସୋ ଅଦାଲତ ଅଭିଯୁକ୍ତ ଅକ୍ଷୟ କୁମାର ସ୍ବାଇଁକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨୦ ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ।  ଜେଲଦଣ୍ଡ ସହ ୬୦ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି କରିଛନ୍ତି ସ୍ୱତନ୍ତ୍ର ପୋକସୋ କୋର୍ଟ ।  ଜୋରିମାନା ଅନାଦେୟ ଆସାମୀ ଅଧୂକ ୨ ବର୍ଷ ଜେଲଦଣ୍ଡ ଭୋଗିବ ବୋଲି ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି ।

ଭାରତୀୟ ଦଣ୍ଡବିଧି ଆଇନର ୨୯୪, ୩୭୬(ଏବି), ୫୦୬ ଓ ୪୫୦ ଦଫା ଏବଂ ପୋକସୋ ଆକ୍ଟ ଧାରା ୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।  ଅପରପକ୍ଷେ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ଲାଗି ଅଦାଲତ କଟକଜିଲା ଆଇନସେବା ପ୍ରାଧୁକରଣଙ୍କୁ ନିର୍ଦେଶ ଦେଇଛନ୍ତି ।  ଦୋଷୀ ଠାରୁ ଆଦାୟ ଜରିମାନା ମଧ୍ୟ ପିଡିତାକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

୨୦୨୩ ମାର୍ଚ୍ଚ ୧ରେ କଟକ ସାଲେପୁର ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରି ଜଣାଇଥିଲେ ଯେ, ତାଙ୍କ ଝିଅକୁ ଫେବୃଆରୀ ୨୮ ତାରିଖରେ ଅଭିଯୁକ୍ତ ଅକ୍ଷୟ ଦୁଷ୍କର୍ମ କରିଥିଲା।  ସକାଳ ସମୟରେ ନାବାଳିକା ଫୁଲ ତୋଳି ନିଜ ଛାତ ଉପରେ ଥିବା ଠାକୁର ଘରକୁ ଯାଇଥିବା ବେଳେ ଦୋଷୀ ପଛେ ପଛେ ଯାଇ ଦୁଷ୍କର୍ମ କରିଥିଲା ।  ନାବାଳିକା ଘଟଣା ସମ୍ପର୍କରେ ନିଜ ମା କୁ କହିବା ପରେ ନାବାଳିକାର ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଥିଲେ।

ଏହି ଘଟଣାରେ ସାଲେପୁର ପୋଲିସ ମାମଲା ରୁଜୁ କରି ମାର୍ଚ୍ଚ ୨ ତାରିଖରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। କଟକ ସ୍ଵତନ୍ତ୍ର ପୋକ୍‌ସୋ ଅଦାଲତ ମାମଲାର ଶୁଣାଣି କରି ୧୩ ଜଣ ସାକ୍ଷୀଙ୍କ ବୟାନ ଓ ୧୮ ଟି ତଥ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଅକ୍ଷୟ ସ୍ୱାଇଁଙ୍କ ପକ୍ଷରୁ କୋର୍ଟରେ ତିନି ଜଣ ସାକ୍ଷୀଙ୍କ ବୟାନ ରଖାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ।