ବରଗଡ଼/ସମ୍ବଲପୁର : ପୁଣି ନାବାଳିକାଙ୍କୁ ହତ୍ୟା । ଘରୁ ମୋବାଇଲ ଟଙ୍କା ନେଇ ଫେରାର ହୋଇଯାଇଥିବା ନାବାଳିକାଙ୍କ ମୃତଦେହ ଠାବ । ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଶରୀର । ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ । ୨ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବରଗଡ଼ ଟାଉନ ପୋଲିସ୍ ।
ଗତ ୧୯ ତାରିଖ । ନିଜ ଘରୁ ୧୫ ହଜାର ଟଙ୍କା ଓ ମୋବାଇଲ୍ ଧରି କୁଆଡେ ଚାଲିଯାଇଥିଲେ ଜଣେ ନାବାଳିକା । ବରଗଡ଼ ଟାଉନ ଥାନାରେ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ ପରିବାରବର୍ଗ । ହେଲେ ଗତକାଲି ୨୩ ତାରିଖ ଅର୍ଥାତ୍ ଘଟଣାର ତିନି ଦିନ ପରେ ବୁର୍ଲା ଜିରୋ ପଏଣ୍ଟ ଜଙ୍ଗଲରୁ ଉଦ୍ଧାର ହୋଇଛି ନାବାଳିକାର ମୃତଦେହ । ବୁର୍ଲା ଜଙ୍ଗଲରୁ ନାବାଳିକାର ମୃତଦେହ ମିଳିବା ପରେ, ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏପଟେ ଏହି ଘଟଣାରେ ଅତାବିରା ଥାନା ଅଞ୍ଚଳର ୨ଜଣ ଅଭିଯୁକ୍ତଙ୍କୁ ବରଗଡ଼ ଟାଉନ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି ।
ଯାହା ସୂଚନା ମିଳିଛି କି, ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ନଦୀପଡା ନିକଟରେ ମୃତ ନାବାଳିକାଙ୍କ ଘର । ଦିନ ମଜୁରିଆ ଭାବେ ମୃତ ନାବାଳିକାଙ୍କ ବାପା ମାଆ କାର୍ଯ୍ୟ କରନ୍ତି । ଅତାବିରା ଠାରେ ନିଜ ଦାଦା ପାଖରେ ରହୁଥିଲେ ନାବାଳିକା । ଏପଟେ ମୃତ ନାବାଳିକାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରି ଟଙ୍କା ଓ ମୋବାଇଲ ଚୋରି କରିଥିବା କହିଛନ୍ତି ନାବାଳିକାଙ୍କ ମାଆ । ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ ବୋଲି ମୃତ ନାବାଳିକାଙ୍କ ମାଆ ଦାବି କରିଛନ୍ତି । ଘଟଣାରେ ୪ ଜଣ ସାମିଲ ଥିବା ବରଗଡ଼ ଟାଉନ୍ ପୋଲିସ୍ ଅନୁମାନ କରିଛି । କ୍ୟାମେରା ଆଗରେ ଘଟଣାକୁ ନେଇ ପୋଲିସ୍ କୈାଣସି ପ୍ରତିକ୍ରିୟା ଦେଇନାହିଁ ।
ତେବେ ଯାହା କୁହାଯାଉଛି କି, ବରଗଡ଼ ଟାଉନ ଥାନାରେ ନାବାଳିକାଙ୍କ ପରିବାର ବର୍ଗ ଜଣେ ଯୁବକ ତାଙ୍କ ଝିଅଙ୍କୁ ଅପହରଣ କରିନେଇଥିବା ନେଇ ଏକ ରିପୋର୍ଟ ହେବାପରେ ତୁରନ୍ତ ବରଗଡ଼ ପୋଲିସ୍ ଜଣେ ଯୁବକଙ୍କୁ ପ୍ରଥମେ କାବୁ କରିଥିଲା, ଏବଂ ପରେ ଉକ୍ତ ଯୁବକ ନାବାଳିକାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା କଥା କୁଆଡେ ମାନିଥିଲା । ତୁରନ୍ତ ବରଗଡ଼ ପୋଲିସ୍ ବୁର୍ଲା ପୋଲିସ୍ ସହ ଯୋଗାଯୋଗ କରି ହତ୍ୟା ସ୍ଥଳକୁ ଅଭିଯୁକ୍ତକୁ ନେଇ ପହଞ୍ଚିଥିଲା । ନାବାଳିକାକୁ ବରଗଡ଼ ରୁ ଆଣି ତାଙ୍କୁ ଏଠାରେ ଦୁଷ୍କର୍ମ କରି ହତ୍ୟା କରିଥିବା କଥା ଅଭିଯୁକ୍ତ ମାନିଥିବା ଶୁଣିବାକୁ ମିଳିଛି । ଏହି ହତ୍ୟା ଘଟଣାରେ ଆହୁରି ମଧ୍ୟ ଯୁବକ ସାମିଲ ରହିଥିବାବେଳେ , ବରଗଡ଼ ପୋଲିସ୍ ସିନ୍ କ୍ରିଏସନ କରି ପାରେ ବୋଲି ସୂଚନା ମିଳିଛି ।
ତେବେ ନାବାଳିକାର ମୃତ୍ୟୁ ପରେ ଏବେ ଅନେକ ପ୍ରଶ୍ନ ସାଧାରଣରେ ଉଠିଛି । କାହା ସାଙ୍ଗରେ ଯାଇଥିଲେ ନାବାଳିକା? ଜଙ୍ଗଲକୁ କେମିତି ଗଲେ ଓ କାହିଁକି ତାଙ୍କୁ ହତ୍ୟା କରାଗଲା ? ଏପଟେ ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଏପଟେ ଦୋଷୀକୁ କଠୋର ରୁ କଠୋର ଦଣ୍ଡ ଦେବାକୁ ଦାବି ଯୋର୍ ଧରିଛି ।
ଆହୁରି ପଢନ୍ତୁ: ବନ କର୍ମଚାରୀଙ୍କୁ ଗୁଳିମାଡ଼, ୪ ଶିକାରୀ ଗିରଫ, ୪ ଟି ଦେଶୀ ବନ୍ଧୁକ ଜବତ