ରାଜଧାନୀରେ ରାତି ହେଲେ ହେଉଛି ରାହାଜାନୀ: ହୋଟେଲ ମାଲିକ ଦମ୍ପତିଙ୍କୁ ମରାଣାନ୍ତକ ଆକ୍ରମଣ କଲେ ୩ ଯୁବକ
ଭୁବନେଶ୍ବର(କେନ୍ୟୁଜ୍): ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ ଭୁବନେଶ୍ବର। ଆଜି ରାତି ୯ଟାରେ ଏକ ହୋଟେଲ ମାଲିକ ଦମ୍ପତିଙ୍କୁ ମରାଣାନ୍ତକ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ମୁତାବକ ଭୁବନେଶ୍ବର ଲକ୍ଷ୍ମୀସାଗର ଜୟଦୁର୍ଗା ନଗରରେ ହୋଟେଲ କରିଥିବା ନ୍ୟୁ କାଳିକା ହୋଟେଲର ମାଲିକ ଓ ତାଙ୍କ ପତ୍ନୀ ଘରକୁ ଫେରୁଥିବା ବେଳେ କାରରେ ୩ ଜଣ ଯୁବକ ଅସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ହୋଟେଲ ମାଲିକଙ୍କ କହିବା କଥା ହେଲା ଯୁବକ ମାନେ ସେହି ଜୟଦୁର୍ଗା ନଗରରେ ରୁହନ୍ତି ଓ ଏମାନେ ଆଜି ଖାଇବକୁ ନେଇ ହୋଟେଲ ମାଲିକଙ୍କ ସହ ଝଗଡା କରିଥିଲେ।
ହୋଟେଲ ମାଲିକ ନାଇଟକର୍ଫ୍ୟୁ ପାଇଁ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ କାରରେ ୩ ଯୁବକ ଆସି ଉଭୟ ଦମ୍ପତିଙ୍କୁ ଆକ୍ରମଣ କରିଛନ୍ତି ଓ ସେମାନଙ୍କ ମୋବାଇଲକୁ ଛଡାଇ ନେଇଛନ୍ତି। ଘଟଣା ସ୍ଥଳରେ ଉଭୟ ଦମ୍ପତି ଆହତ ହୋଇଥିଲେ। ପରେ ଦମ୍ପତି ଦ୍ବୟ ଲକ୍ଷ୍ମୀ ସାଗର ଥାନାରେ ଘଟଣା ବିଷୟରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ଛାନଭିନ୍ ଚଳାଇ ଯୁବକମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।