ରାଜନୈତିକ ଶତ୍ରୁତାରୁ ଲୋମ ଟଙ୍କୁରା କାଣ୍ଡ, ଦିନ ଦିପ୍ରହରରେ ଲଙ୍କା ଗୁଣ୍ଡ ଲଗାଇ ବାଇକ ଆରୋହୀକୁ ହାଣିଲେ ୪ଦୁର୍ବୃତ୍ତ

ବ୍ରହ୍ମପୁର(କେନ୍ୟୁଜ୍):  ରାଜନୈତିକ ଶତ୍ରୁତାରୁ ଦିନ ଦିପ୍ରହରରେ ୧୬ନମ୍ବର ଜାତୀୟ ରାଜପଥ ଖଲ୍ଲିକୋଟର ଲଙ୍ଗଳେଶ୍ଵରଠାରେ ଜଣେ ବାଇକ ଆରୋହୀକୁ ମରିଚ ଗୁଣ୍ଡ ମାରି ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକାର ଯୁବକ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଆଠଗଡ଼ ପାଟଣା ପଞ୍ଚାୟତର ଅସିତ କୁମାର ନାୟକ । ଅସିତ ଗତକାଲି ଭୁବନେଶ୍ଵର କିଛି କାମ ପାଇଁ ତାଙ୍କ ସାଙ୍ଗ ପରେଶ କୁମାର ସେଠୀଙ୍କ ସହ ଯାଇଥିଲେ ।

ଆଜି ଫେରିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଲଙ୍ଗଳେଶ୍ଵରଠାରେ ଚାରି ଜଣ ଦୁର୍ବୃତ୍ତ ଅସିତ ଓ ତାଙ୍କ ସାଙ୍ଗ ପରେଶଙ୍କ ଉପରକୁ ମରିଚ ଗୁଣ୍ଡ ଫୋପାଡ଼ି ଥିଲେ । ପରେଶ ପ୍ରାଣ ବିକଳରେ ସେଠାରୁ ଦୌଡ଼ି ପଳାଇଥିବା ବେଳେ ଦୁର୍ବୃତ୍ତମାନେ ଅସିତଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭେଜିପୁଟ ଫାଣ୍ତି ପୋଲିସ ଗାଡ଼ିରେ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ଅସିତ କହିଛନ୍ତି ଏହା ରାଜନୈତିକ ଶତ୍ରୁତାରୁ ଘଟିଛି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.