ଚାକିରି ନାଁରେ ଟଙ୍କା ନେଇ ଚମ୍ପଟ

ନବରଙ୍ଗପୁର ଜିଲ୍ଲା ଉମରକୋଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଚାକିରି କରେଇ ଦେବାକୁ କହି ୨୦ ହଜାର ଟଙ୍କା ଓ ମୋବାଇଲ ଫୋନ୍ ଧରି ଚମ୍ପଟ । ଝରିଗାଁ ବ୍ଲକ ଚିକିଲି ଗାଁର ଗଜେନ୍ଦ୍ର ଗୌଡ଼ ଚେନ୍ନାଇରେ ଜଣେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହେବା ସହ ମୋବାଇଲ ନମ୍ବର ମଧ୍ୟ ଦିଆନିଆ ହୋଇଥିଲା ।

ଉକ୍ତ ବ୍ୟକ୍ତି ୨୩ ତାରିଖରେ ଉମରକୋଟ କୋର୍ଟ ପାଖରେ ଟଙ୍କା ଓ କିଛି କାଗଜପତ୍ର ଧରି ଆସିବାକୁ ଗଜେନ୍ଦ୍ରଙ୍କୁ କହିଥିଲେ। ଗଜେନ୍ଦ୍ର ୨୦ ହଜାର ଟଙ୍କା ଦେଇଥିଲେ। ଓଟିପି ଆସିବ କହି ଉକ୍ତ ବ୍ୟକ୍ତି ଜଣକ ଗଜେନ୍ଦ୍ରଙ୍କ ମୋବାଇଲ ଫୋନ ମାଗି ନେଇଥିଲେ । କିଛି କାଗଜ ଜେରକ୍ସ କରି ଆଣିବାକୁ ଗଜେନ୍ଦ୍ରଙ୍କୁ ପଠାଇ ଅଜଣା ବ୍ୟକ୍ତି ଜଣକ ଚମ୍ପଟ ମାରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କ ଦେଖା ନମିଳିବାରୁ ବାଧ୍ୟ ହୋଇ ଗଜେନ୍ଦ୍ର ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।