ପୁଅ ଡ୍ରଗ୍ସମାମଲାରେ କହି ବାପାଙ୍କ ଠାରୁ ୫୦ ହଜାର ଟଙ୍କା ଠକିନେଲା ନକଲି CBI ଅଫିସର, ଥାନାରେ ଅଭିଯୋଗ  

ଆଳି : ସାଇବର ଠକଙ୍କ  ନୂଆଫଣ୍ଡା । ଠକିବାକୁ ଆପଣାଉଛନ୍ତି ନୂଆ ନୂଆ ତରିକା । ପୁଅ ଡ୍ରଗ୍ସମାମଲା ଧରାପଡିଥିବା କହି ଶିକ୍ଷକ ବାପାଙ୍କ ଠାରୁ ୫୦ହଜାର ଟଙ୍କା ଠକିନେଲା ନକଲି CBI ଅଫିସର । ଏଭଳି ଅଭିନଵ ଠକେଇର ଶିକାର ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁର ଶିକ୍ଷକ ଯଶୋବନ୍ତ ପଲାଇ । ଗତ ୨୭ ତାରିଖ ଦିନ ୧୦ଟା ୪୫ମିନିଟ ସମୟରେ ଏକ ଅଜଣା ନମ୍ବରରୁ ତାଙ୍କ ମୋବାଇକୁ ଫୋନ କଲ ଆସିଥିଲା ।

ଠକ ଜଣକ ନିଜକୁ CBI ଅଫିସର ପରିଚୟ ଦେଇ କଥା ହୋଇଥିଲା। ତମ ପୁଅ ଜୟପ୍ରକାଶ ପଲାଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠ ପଢୁଛି । ତମ ପୁଅ ଜଣେ ମେଧାବୀ ଛାତ୍ର ବୋଲି ମଧ୍ୟ କହିଥିଲା ।  ତମ ପୁଅ ଓ ତାର ୩ଜଣ ସାଙ୍ଗ ଡ୍ରଗ୍ସ ନେବା ସହ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବାରୁ ଆମେ ତାଙ୍କୁ CBI  ହେପାଜତକୁ ଆଣିଛୁ । ଆଉ ତାକୁ କୋର୍ଟ ଫରୱାର୍ଡ଼ କରିବୁ ବୋଲି ନକଲି CBI ଅଫିସର କହିଥିଲା ।

ଶିକ୍ଷକ ନକଲି CBI ଅଫିସର ଠାରୁ  ଏସବୁ ଶୁଣିବା ପରେ  ପୁଅକୁ ଫୋନ ଦେବାକୁ କହିବାରୁ ପୁଅକୁ ମାଡ଼ ମାରୁଥିବାର ଚିତ୍କାର ବାରମ୍ବାର ଶୁଣାଇ ମାନସିକ ନିର୍ଯାତନା ଦେଉଥିବା ଫୋନରେ ଶୁଣାଇଥିଲା  ।  ପରେ ପୁଅକୁ ଛାଡିବା ପାଇଁ ନକଲି CBI ଅଫିସର ୫୦ହଜାର ଟଙ୍କା ଦାବି କରିଥିଲା । ବ୍ୟତିବ୍ୟସ୍ତ ହୋଇ ଶେଷରେ ଶିକ୍ଷକ ଜଣଙ୍କ ଦୁଇଟି କିସ୍ତିରେ ୨୫/୨୫ ହଜାର ଟଙ୍କା ଦେବା ପରେ ମଧ୍ୟ ନକଲି CBI ଅଫିସର ଆହୁରି ୨ ଲକ୍ଷ ଟଙ୍କା ଦାବି କରିଥିଲା ।

ପରେ ପୁଅ ଜୟ ପ୍ରକାଶଙ୍କ ସହ କଥା ହେବା ପରେ ଶିକ୍ଷକ ଯଶୋବନ୍ତ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ରାଜକନିକା ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସର ପତିକ୍ରିୟା ମିଳିପାରିନାହିଁ ।

You might also like