ରେମୁଣା ଗୋଲେଇ ନିକଟରେ ଯୁବକଙ୍କ ଉପରେ ଗୁଳିମାଡ଼, ଅନ୍ୟ ଜଣେଙ୍କୁ ଗୋଡେଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ଜଣେ ଯୁବକଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ଗୋଡେଇ ଗୋଡ଼େଇ ହାଣିଛନ୍ତି ଦୁର୍ବୃତ୍ତ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ରେମୁଣା ଗୋଲେଇ ଓଭର ବ୍ରିଜ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱରରେ ଗୁଳିମାଡ଼ । ଶିଳ୍ପାଞ୍ଚଳ ଥାନା ରେମୁଣା ଗୋଲେଇ ନିକଟରେ ଯୁବକଙ୍କ ଉପରେ ଗୁଳିମାଡ଼। ଜଣେ ଯୁବକଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ଗୋଡେଇ ଗୋଡ଼େଇ ହାଣିଛନ୍ତି ଦୁର୍ବୃତ୍ତ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ରେମୁଣା ଗୋଲେଇ ଓଭର ବ୍ରିଜ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ଗୋଟିଏ ପକ୍ଷ ଅନ୍ୟ ପକ୍ଷ ଉପରକୁ ଗୁଳି ମାରିଥିଲା। ଆହତ ଦୁଇ ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ରେମୁଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଗୁଳି ବାଜିଥିବା ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର  କରାଯାଇଛି। ଗୁରୁତର ଦୁଇ ଯୁବକ ରେମୁଣା ଥାନା ଅଧୀନସ୍ଥ ମନ୍ଦାରପୁର ଅଞ୍ଚଳର ବୋଲି ଜଣାପଡିଛି। ଗୁରୁତର ଆହତ ପିଙ୍କୁ ଦାସଙ୍କ ଛାତିରେ ଗୁଳି ବାଜିଛି। ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।