ବାଲେଶ୍ବର: ନନାଙ୍କ ନାମରେ ନିରୁଦ୍ଦିଷ୍ଟ ପୋଷ୍ଟର, ଥାନାରେ ଅଭିଯୋଗ କଲା ଜିଲ୍ଲା ବିଜେପି

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବର  ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନାମରେ ନିଖୋଜ ପୋଷ୍ଟର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ତାଙ୍କ ନିର୍ବାଚନ ମଣ୍ଡଳୀ ବାଲେଶ୍ବରରେ । ପୋଷ୍ଟରରେ ଉଲ୍ଲେଖ ରହିଛି ଯେ ‘ବହୁଦିନ ହେବ ସାଂସଦ ପ୍ରତାପ ଷଡଙ୍ଗୀ ନିରୁଦ୍ଧିଷ୍ଟ ହୋଇଯାଇଛନ୍ତି। ଯଦି କେହି ପାଆନ୍ତି ତେବେ ଯୋଗାଯୋଗ କରିବେ’। ଯୋଗାଯୋଗ ସ୍ଥାନରେ ଲେଖାଅଛି ବାଲେଶ୍ବର ବାସିନ୍ଦା। ଏହି ପୋଷ୍ଟରକୁ ନେଇ ବାଲେଶ୍ବରରେ ରାଜନୀତି  ବେଶ୍  ସରଗରମ ହୋଇଯାଇଛି।

ଏହି ଘଟଣାକୁ ନେଇ ବାଲେଶ୍ଵର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ବାଲେଶ୍ଵର ସହଦେବ ଖୁଣ୍ଟା ଥାନାରେ ଏକ ଏଫ୍ ଆଇ ଆର୍ ଦିଆଯାଇଛି । ବାଲେଶ୍ଵର ଜିଲ୍ଲା ବିଜେପି ପକ୍ଷରୁ ବହୁ ଜିଲ୍ଲା ସ୍ତରୀୟ ନେତା ଓ ଯୁବ ନେତା ମାନେ ଉପସ୍ଥିତ ରହିଥିଲେ ।

ସୂଚନା ମୁତାବକ ଆଜି ସକାଳୁ ବାଲେଶ୍ଵର ସହର କଚେରୀ ଛକ , ସଦର ବ୍ଲକ୍ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନ ମାନଙ୍କରେ ବାଲେଶ୍ଵର ସାଂସଦ ତଥା  କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିରୁଦ୍ଦିଷ୍ଟ ଥିବା କିଛି ପୋଷ୍ଟର ବିଭିନ୍ନ ସ୍ଥାନ ମାନଙ୍କରେ ଲଗାଯାଇଥିଲା । ଏହା ସହ ସହରର କିଛି ଲୋକ  ଏଭଳି ପୋଷ୍ଟରକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ  ନେଇ ଆଜି ଭାଇରାଲ କରିଥିବା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବିଜେପି ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଥିଲା।

ବାଲେଶ୍ଵର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଲୋକପ୍ରିୟତାକୁ ଅସହ୍ୟ କରି ତାଙ୍କ ବିରୁଦ୍ଧରେ ଏଭଳି ଅପ ପ୍ରଚାର କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିଜେପି ଜିଲ୍ଲା ସଭାପତି ଉମା କାନ୍ତ ମହାପାତ୍ର । ଅପରପକ୍ଷେ ଯେଉଁମାନେ ଏଭଳି କାର୍ଯ୍ୟରେ ସଂପୃକ୍ତ ସେମାନଙ୍କ ବିରୋଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା  ବିଜେପି ତରଫରୁ ଦାବୀ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.