ମୟୁରଭଞ୍ଜ: ଘର ବାହାରେ ବୃଦ୍ଧା ମହିଳାଙ୍କ ମୁଣ୍ଡ ଛେଚି ବିଭତ୍ସ ହତ୍ୟା, ପୋଲିସର ତଦନ୍ତ ଜାରି

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ମହୁଲଡ଼ିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତ ବଉଳା ଗ୍ରାମରେ ନିଜ ଘର ବାହାରେ ଜଣେ ୬୨ ବର୍ଷୀୟ ବୃଦ୍ଧା ମହିଳାଙ୍କ ହତ୍ୟା କରାଯାଇଛି। ମହିଳାଙ୍କ ମୁଣ୍ଡକୁ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ବୃଦ୍ଧା ଜଣକ ହେଉଛନ୍ତି ସେହି ଗ୍ରାମର ଜୟରାମ ପୁର୍ତ୍ତୀଙ୍କ ସ୍ତ୍ରୀ ସୁନା ପୂର୍ତ୍ତି ବୋଲି ଜଣାପଡିଛି। ଗୁରବାର ଦିନହତ୍ୟାକାଣ୍ଡର ଖବର ପାଇ ମହୁଲଡ଼ିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ପ୍ରକାଶ ଯେ ଜୟରାମ ଓ ତାଙ୍କ ସ୍ତ୍ରୀ ସୁନା ପୂର୍ତ୍ତି  ଏକ ନିଛାଟିଆ ସ୍ଥାନରେ ଥିବା ନିଜ ଘରେ ରହୁଥିଲେ।ଗତ ମଙ୍ଗଳବାର ଦିନ ସ୍ୱାମୀ ଜୟରାମ ଭାଲିଆଡାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ପାଇଁ ଆସି ଭାଲିଆଡାଳ ଗ୍ରାମରେ ସମ୍ପର୍କୀୟଙ୍କ ଘରେ ରହିଯାଇଥିଲେ। ବୁଧବାର ରାତିରେ ଜୟରାମ ଘରକୁ ଫେରିଥିଲେ।ଘରେ ପହଞ୍ଚିବା ପରେ ଘର ବାହାରେ ସ୍ତ୍ରୀର ମୃତ ଦେହ ଦେଖିବାକୁ ପାଇଥିଲେ।ସାହି ପଡୋଶୀଙ୍କୁ ଆସି ସହାୟତା କରିବାକୁ କହିଥିଲେ ମଧ୍ୟ ତାଙ୍କୁ କେହି ସହାୟତା କରିନଥିଲେ।ଗୁରବାର ସକାଳେ ନିଜ ପୁତୁରା ସହିତ ଆସି ଥାନାରେ ଖବର ଦେଇଥିଲେ। ଶବଟି ପଚିବା ଆରମ୍ଭ ହୋଇଥିବାରୁ ୨ଦିନ ପୂର୍ବରୁ କେହି ସୁନେଇକୁ ହତ୍ୟା କରିଦେଇଥିବାର ପୋଲିସ ସନ୍ଦେହ କରୁଛି। ଘଟଣା ସ୍ଥଳରେ କରଞ୍ଜିଆ SDPO ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି।

Leave A Reply

Your email address will not be published.