ଦାଦାବଟିକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା, ଆକ୍ରମଣରେ ଦମ୍ପତି ଆହତ

ଭୁବନେଶ୍ୱର : ଦାଦାବଟିକୁ ନେଇ ରାଜଧାନୀ ବୁଲିଲା ଖଣ୍ଡା । ଖଣ୍ଡାରେ ମୁଣ୍ଡ ଓ ଗୋଡ଼କୁ ହାଣି ଆତଙ୍କ ଖେଳାଇଲେ ଦୁଇ ଭାଇ । ଖାରବେଳନଗର ଥାନାରେ ଅଭିଯୋଗ କଲେ ଆହତ କରୁଣାକର ସ୍ବାଇଁ ଏବଂ ପତ୍ନୀ ଦମୟନ୍ତୀ ସ୍ୱାଇଁ । ୟୁନିଟ ୯ ମା’ ମଙ୍ଗଳା ବସ୍ତିର ସଞ୍ଜୟ ଦାସ (କୁନା ) ଏବଂ ନଣ୍ଡା ଦାସ ( ନଣ୍ଡା ) ଙ୍କ ନାଁ ରେ ଖାରାବେଳେ ନଗର ଥାନାରେ ଅଭିଯୋଗ ଆଣିଲେ ଆହତଙ୍କ ପରିବାର । ଛୋଟ ଘଟଣାକୁ କେନ୍ଦ୍ର କରି ୟୁନିଟ ୯ ମଙ୍ଗଳା ବସ୍ତିରେ ଅଭିଯୁକ୍ତ ନଣ୍ଡା ଓ କୁନା କରୁଣାକର ସ୍ବାଇଁ ଘରେ ନଥିଲା ବେଳେ ତାଙ୍କ ପରିବାରକୁ ଗାଳି ଗୁଲଜ କରି ମହିଳାଙ୍କୁ ଆକ୍ରମଣ କରିଥିଲେ ।
ବାହାରେ ଥିବା କରୁଣାକର ଆଜି ଫୁଲ ବେପାର ସାରି ଦୋକାନରୁ ଘରକୁ ଫେରୁଥିଲା ବେଳେ ତାଙ୍କୁ ଟାର୍ଗେଟ କରିଥିଲେ ଦୁଇ ଭାଇ । ମଙ୍ଗଳା ବସ୍ତି ନିକଟରେ ଅପରାହ୍ନ ୪ ଟା ସମୟରେ କରୁଣାକରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ଦୁଇ ଭାଈ । କୌଶଳକ୍ରମେ ଜୀବନ ବଞ୍ଚାଇ ଖସି ଯାଇଥିଲେ କରୁଣାକର । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ଚିକତ୍ସା କରାଯାଇଛି । ଗତକାଲି କରୁଣାକରଙ୍କ ପରିବାରଙ୍କୁ ଧମକ ଓ ମାଡ଼ ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ଆଜି ଏଭଳି ଅତର୍କିତ ଆକ୍ରମଣକୁ ନେଇ ପୁନଃ ଅଭିଯୋଗ ହେଲା ପରେ ପୋଲିସ ମୋବାଇଲରେ କଏଦ ହୋଇଥିବା ତଥ୍ୟକୁ ଆଧାର କରି ତନାଘନା ଆରମ୍ଭ କରିଛି । ଅନ୍ୟପଟେ ଅଭିଯୁକ୍ତ ଦୁଇ ଭାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଅଧିକ ତଦନ୍ତ ଜାରୀ ରଖିଥିବା ବେଳେ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛନ୍ତି କରୁଣାକର ଓ ତାଙ୍କ ପରିବାର ।