ରାଜଧାନୀର ଏକ ହୋଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଚେୟାରକୁ କେନ୍ଦ୍ର କରି ଯାହାକୁ ପାରିଲେ ପିଟିଲେ

ଭୁବନେଶ୍ୱର : ଇନଫୋସିଟି ଥାନା ପଥରଗାଡିଆ ନିକଟ ଏକ ହୋଟେଲରେ ଦାଦାଗିରି ଦେଖାଇଲେ ଦୁର୍ବୃତ୍ତ । ଗତକାଲି ଚେୟାରକୁ କେନ୍ଦ୍ର କରି ଗ୍ରାହକ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ସିସିଟିଭିରେ କଏଦ ହେଲା ଆକ୍ରମଣର ଦୃଶ୍ୟ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଯୋଗୁ ଉଭୟ ପକ୍ଷରୁ କିଛି ଆହତ ହୋଇଛନ୍ତି । ଘଟଣା ନେଇ ହୋଟେଲ ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି । ଉଭୟ ଗୋଷ୍ଠୀର ଯୁବକମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ ।
ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ଲୋକେ ଖାଉଥିବା ବେଳେ ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ହୋଟେଲକୁ ଆସି ଖାଇବାକୁ ମାଗିଥିଲେ । ତେବେ ହୋଟେଲରେ ଚେୟାର ଖାଲି ନଥିବାରୁ ଦୁର୍ବୃତ୍ତ ମାନେ ଆଗରୁ ବସିଥିବା ଗ୍ରାହକଙ୍କୁ ଚେୟାର ଦିଅ ବୋଲି କହିଥିଲେ। ହେଲେ ଗ୍ରାହକ ଚେୟାର ଦେବାକୁ ମନା କରିବାରୁ ଯୁବକମାନେ ହଠାତ ଫିଙ୍ଗା ଫୋପୋଡା କରି ଆତଙ୍କରାଜ ଖେଳାଇଥିଲେ। ଏପରିକି ହୋଟେଲରେ ଚେୟାର,ଟେବୁଲ ,ରାସ୍ତାରେ ଥିବା ବାରିକେଟ ଆଦି ଜିନିଷ ଭଙ୍ଗାରୁଜା କରି ଗ୍ରାହକମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ । ପ୍ରତି ଆକ୍ରମଣରେ ଗ୍ରାହକ ମାନେ ମଧ୍ୟ ସ୍ଥାଳନୀୟ ଯୁବକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି ।