ଭୁବନେଶ୍ୱର : ରାଜଧାନୀରେ ଲୋମହର୍ଷଣକାରୀ ଘଟଣା । ଡକାୟତି କରିବାକୁ ଘରେ ପଶିଲେ ଦୁଇ ଲୁଟେରା । ମହିଳାଙ୍କ ଶିଶୁକନ୍ୟାକୁ ମୁଣ୍ଡଜାମିନ ରଖି କଲେ ଦୁଷ୍କର୍ମ । ରବିବାର ରାତି ପ୍ରାୟ ୨ଟା ବେଳେ ମୈତ୍ରୀବିହାର ଅଞ୍ଚଳସ୍ଥ ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ଭୟଙ୍କର ଘଟଣା । ଶିଶୁକନ୍ୟାକୁ ଭୁଜାଲିରେ ହାଣିଦେବାର ଭୟ ଦେଖାଇ ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କଠାରୁ ଗହଣା ଲୁଟି ଫେରାର୍ ହୋଇଯାଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ସ୍ଵତନ୍ତ୍ର ଟିମ ଗଠନ କରି ଅପରାଧିଙ୍କୁ ଖୋଜୁଛି କମିଶନରେଟ ପୋଲିସ। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ସହ ଯାଞ୍ଚ କରୁଛି ଫରେନ୍ସିକ ଟିମ୍ । ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ । ପୀଡ଼ିତା ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ତାଙ୍କ ସ୍ବାମୀ ବାହାରେ ରହନ୍ତି।
ଅଭିଯୋଗ ଅନୁଯାୟୀ, ଗତ ରବିବାର ରାତି ପ୍ରାୟ ୨ଟା ବେଳେ ମହିଳା ତାଙ୍କ ୨ ବର୍ଷର ଝିଅ ସହ ଘରେ ଶୋଇଥିଲେ। ଭୁଲ ବଶତଃ ମହିଳା ଜଣଙ୍କ ରାତିରେ ବାଲକୋନୀ କବାଟ ବନ୍ଦ କରିବାକୁ ଭୁଲି ଯାଇଥିଲେ। ଏହି ସମୟରେ ୪ଜଣ ଡକାୟତ ବାଲକୋନୀ ପଟେ ଘର ଭିତରକୁ ପଶିଯାଇଥିଲେ । ଚୋରି କରିବାବେଳେ ମହିଳାଙ୍କ ନିଦ ଭାଙ୍ଗିଯାଇଥିଲା । ସେ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଝିଅର ବେକରେ ଛୁରୀ ଲଗାଇ ମାରିଦେବାର ଭୟ ଦେଖାଇଥିଲେ । ଏହାପରେ ସେମାନେ ମହିଳାଙ୍କୁ ଧମକ ଦେଲେ। ପାଟି କରିବାକୁ ଉଦ୍ୟମ କଲେ, ଶିଶୁକନ୍ୟାକୁ ହାଣିଦେବେ ବୋଲି କହିଥିଲେ । ତଥାପି ଭୟରେ ମହିଳା ସେମାନଙ୍କୁ ‘ଯାହା ଅଛି ସବୁ ନେଇଯାଅ ଏବଂ ଆମ ମା’ ଝିଅଙ୍କୁ ଛାଡ଼ିଦିଅ’ ବୋଲି ନେହୁରା ହେଉଥିଲେ । କିନ୍ତୁ ଲୁଟେରା ଦୁଇ ଜଣ ତାଙ୍କ କଥାକୁ କର୍ଣ୍ଣପାତ ନକରି ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହାପରେ ସେମାନେ ମହିଳାଙ୍କ କାନଫୁଲ ଖୋଲି ନେଇଗଲେ। କିନ୍ତୁ ଘର ଭିତରୁ ଆଉ କିଛି ଗହଣା ବା ଟଙ୍କାପଇସା ପାଇନଥିଲେ। ଶେଷରେ ସେମାନେ ମହିଳାଙ୍କ ମୋବାଇଲ୍ ନେଇ ଘର ବାହାରୁ କବାଟ ବନ୍ଦ କରି ପଳାଇଥିଲେ। ଯେଉଁ ବାଲ୍କୋନି ଦେଇ ପଶିଥିଲେ, ସେହିବାଟ ଦେଇ ଫେରାର୍ ହୋଇଯାଇଥିଲେ।
ସୋମବାର ଦିନ ସକାଳେ ମହିଳା ଜଣଙ୍କ ତୁରନ୍ତ ମୈତ୍ରୀବିହାର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି । ସ୍ବତନ୍ତ୍ର ଟିମ୍ ଗଠନ କରି ଅପରାଧୀଙ୍କୁ ଖୋଜୁଛି ପୋଲିସ । ଏଥିରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଟରା କରୁଛି ପୋଲିସ । ହେଲେ ରାଜଧାନୀର ହାଇପ୍ରୋଫାଇଲ ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏଭଳି ବର୍ବରକାଣ୍ଡକୁ ନେଇ ଆପାର୍ଟମେଣ୍ଟ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।